ଭୁବନେଶ୍ବର: ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପ୍ରକ୍ରିୟାକୁ ଅଧିକ ଶୃଙ୍ଖଳିତ, ସୁଗମ ଓ ସହଜ କରିବା ପାଇଁ ଏକ ବଡ଼ ଧରଣର ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା ତିନିରୁ ଚାରି ମାସ ମଧ୍ୟରେ ଶ୍ରୀମନ୍ଦିରରେ ଆନୁଷ୍ଠାନିକ ଭାବେ ସମ୍ପୂର୍ଣ୍ଣ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ନୂତନ ଯୋଜନା ଅନୁଯାୟୀ, ଶ୍ରୀମନ୍ଦିର ଅନ୍ତରୀଣ ପରିସରରେ ପାଞ୍ଚଟି ବିଶେଷ ରାମ୍ପ ମାଧ୍ୟମରେ ଏକାସଙ୍ଗରେ ପ୍ରାୟ ପଚାଶ ଜଣ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଏହି ଅତ୍ୟାଧୁନିକ ପଦ୍ଧତି ଆପଣାଗଲେ ପ୍ରତି ଘଣ୍ଟାରେ ପ୍ରାୟ ଆଠ ହଜାର ଭକ୍ତ ବିନା କୌଣସି ଗହଳି ଓ ବିଶୃଙ୍ଖଳାରେ ସୁବିଧାରେ ଦର୍ଶନ ପାଇପାରିବେ।
ଏହି ସମ୍ପୂର୍ଣ୍ଣ ପ୍ରକଳ୍ପର ନକ୍ସା ଓ ବୈଷୟିକ ମଡେଲକୁ ବୈଷୟିକ ଶିକ୍ଷାନୁଷ୍ଠାନ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ପ୍ରସ୍ତୁତ କରାଯାଇଛି। ରାଜ୍ୟ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ପ୍ରସ୍ତାବିତ ମଡେଲର ସମୀକ୍ଷା କରିବା ସହ ଆସନ୍ତା ଆଠରୁ ଦଶ ଦିନ ମଧ୍ୟରେ ଏକ ପ୍ରାଥମିକ ନମୁନା ବା ପାଇଲଟ୍ ରାମ୍ପର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ସୂଚନା ଦେଇଛନ୍ତି। ଏହି ରାମ୍ପଗୁଡ଼ିକର ବିଶେଷତ୍ୱ ହେଉଛି ଏଗୁଡ଼ିକ ଫୋଲ୍ଡିଂ ବ୍ୟବସ୍ଥା ବିଶିଷ୍ଟ, ଯାହାକୁ ମାତ୍ର ପାଞ୍ଚ ମିନିଟ୍ ମଧ୍ୟରେ ସହଜରେ ଖୋଲାଯାଇ ପୁନର୍ବାର ବନ୍ଦ କରାଯାଇପାରିବ। ପାଇଲଟ୍ ରାମ୍ପର ନିର୍ମାଣ ଶେଷ ହେବା ପରେ ଶ୍ରୀମନ୍ଦିର ଛତିଶା ନିଯୋଗର ପ୍ରତିନିଧି ଏବଂ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟମାନଙ୍କୁ ଏହାର କାର୍ଯ୍ୟକାରିତା ଦେଖାଯିବ। ସେମାନଙ୍କ ଗ୍ରହଣଯୋଗ୍ୟତା, ପ୍ରସ୍ତାବ ଓ ନିଷ୍ପତ୍ତି ଆଧାରରେ ଆବଶ୍ୟକ ସ୍ଥଳେ ଏଥିରେ ସଂଶୋଧନ କରାଯିବ। ଅନୁମୋଦନ ମିଳିବା ପରେ ଖୁବଶୀଘ୍ର ଛଅ ଥାକିଆ ରାମ୍ପ ବ୍ୟବସ୍ଥା ନିର୍ମାଣ କରାଯାଇ ଏହାକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବ। ଅପରପକ୍ଷରେ, ପୁରୀ ସହରବାସୀ ଯେପରି ସହଜ ଓ ସୁବିଧାରେ ମହାପ୍ରଭୁଙ୍କ ଦର୍ଶନ ପାଇପାରିବେ, ସେଥିପାଇଁ ମଧ୍ୟ ଏକ ବିଶେଷ ସୂଚନାପ୍ରଯୁକ୍ତିଭିତ୍ତିକ ମଡେଲ ପ୍ରସ୍ତୁତ କରାଯାଇଛି। ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଶ୍ରୀମନ୍ଦିରର ଉତ୍ତରଦ୍ୱାର ଦେଇ ପ୍ରବେଶ କରିବାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି। ବାୟୋମେଟ୍ରିକ୍ସ ବ୍ୟବସ୍ଥା ମାଧ୍ୟମରେ ସହରବାସୀଙ୍କ ଚିହ୍ନଟ ପ୍ରକ୍ରିୟାକୁ ସହଜ କରାଯାଇ ଏହି ସୁବିଧା ଯୋଗାଇ ଦିଆଯିବ।


