ନୂଆଦିଲ୍ଲୀ: ପୂର୍ବ ସ୍ୱିଜରଲ୍ୟାଣ୍ଡର ଆଲପ୍ସ ପାର୍ବତ୍ୟାଞ୍ଚଳରେ ଏକ ମୋଟର ଯାନ ଦୁର୍ଘଟଣା ଘଟିଯାଇଛି। ନେଦରଲ୍ୟାଣ୍ଡସରୁ ଆସିଥିବା ଏକ ପର୍ଯ୍ୟଟକ ବସ୍ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ୫ ଜଣ ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଛନ୍ତି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଅନ୍ୟ ୪୦ ଜଣ ପର୍ଯ୍ୟଟକ ଗୁରୁତର ଭାବେ ଆହତ ହୋଇଛନ୍ତି। ଗ୍ରାଉବୁଣ୍ଡେନ କ୍ୟାଣ୍ଟନର ସୁସ୍କ ଏବଂ ଜେରନେଜ ଗ୍ରାମ ମଧ୍ୟବର୍ତ୍ତୀ ମୁଖ୍ୟ ରାସ୍ତାରେ ଏହି ଦୁର୍ଘଟଣା ସଂଘଟିତ ହୋଇଛି। ଗୁରୁବାର ଅପରାହ୍ଣରେ ଘଟିଥିବା ଏହି ଦୁର୍ଘଟଣା ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।
ମିଳିଥିବା ସୂଚନା ମୁତାବକ, ଦୁର୍ଘଟଣାଗ୍ରସ୍ତ ବସଟିରେ ପ୍ରାୟ ୪୫ ରୁ ୪୮ ଜଣ ବୟସ୍କ ପର୍ଯ୍ୟଟକ ଯାତ୍ରା କରୁଥିଲେ। ଗ୍ରାମୀଣ ପାର୍ବତ୍ୟ ପଥ ଦେଇ ଗତି କରୁଥିବା ସମୟରେ ବସଟି ଅଚାନକ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଥିବା ସୁରକ୍ଷା ପ୍ରାଚୀର ବା କ୍ରାସ୍ ବ୍ୟାରିୟର ସହ ପ୍ରଚଣ୍ଡ ଧକ୍କା ହୋଇଥିଲା। ଧକ୍କାର ତୀବ୍ରତା ଏତେ ଅଧିକ ଥିଲା ଯେ ବସଟି ସାଙ୍ଗେ ସାଙ୍ଗେ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଏହି ଘଟଣାରେ ଅନ୍ୟ କୌଣସି ଯାନବାହାନ ସାମିଲ ନଥିବା ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଘଟଣା ସମ୍ପର୍କରେ ଖବର ପାଇବା କ୍ଷଣି ସ୍ଥାନୀୟ ପ୍ରଶାସନ, ପୋଲିସ ଏବଂ ଜରୁରୀକାଳୀନ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପାର୍ବତ୍ୟାଞ୍ଚଳ ଦୁର୍ଗମ ହୋଇଥିବାରୁ ଏବଂ ଆହତଙ୍କ ସଂଖ୍ୟା ଅଧିକ ଥିବାରୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ୫ଟି ଜରୁରୀକାଳୀନ ହେଲିକପ୍ଟର ଏବଂ ଏକାଧିକ ଆମ୍ବୁଲାନ୍ସ ନିୟୋଜିତ କରାଯାଇଥିଲା। ଉଦ୍ଧାରକାରୀ ଦଳ ଗାଡ଼ି ଭିତରେ ଫସି ରହିଥିବା ଯାତ୍ରୀମାନଙ୍କୁ ବାହାର କରି ନିକଟସ୍ଥ ହସ୍ପିଟାଲଗୁଡ଼ିକୁ ସ୍ଥାନାନ୍ତର କରିଥିଲେ। ଆହାତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ନେଦରଲ୍ୟାଣ୍ଡସ ଭ୍ରମଣ ସଂସ୍ଥା ଏବଂ ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁସାରେ, ବସରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ନେଦରଲ୍ୟାଣ୍ଡସର ନାଗରିକ ଥିଲେ। ପାର୍ବତ୍ୟ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ସେମାନେ ସ୍ୱିଜରଲ୍ୟାଣ୍ଡ ଗସ୍ତରେ ଆସିଥିଲେ। ପୋଲିସ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷ ଘଟଣାର ତଦନ୍ତ ଜାରି ରଖିଛନ୍ତି ଏବଂ ଗାଡ଼ିଟି କେଉଁ ପରିସ୍ଥିତିରେ ନିୟନ୍ତ୍ରଣ ହରାଇଲା ସେ ନେଇ ଅଧିକ ଛାନଭିନ କରାଯାଉଛି।


