ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ପୁଣି ତେଜିଲା ରାଜନୈତିକ ଛକାପଞ୍ଝା। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କ ଗସ୍ତ ଅବସରରେ ଆୟୋଜିତ ବିଧାୟକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛି ବିଜୁ ଜନତା ଦଳ (ବିଜେଡି)। ଦଳର ବିଧାୟକମାନେ ଏହି କାର୍ଯ୍ୟକ୍ରମରେ ଯୋଗ ନଦେବାକୁ ଦଳୀୟ ସ୍ତରରେ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି। ଏହା ପୂର୍ବରୁ କଂଗ୍ରେସ ମଧ୍ୟ ସମାନ ନିଷ୍ପତ୍ତି ଘୋଷଣା କରିସାରିଛି। ଫଳରେ ଉପରାଷ୍ଟ୍ରପତିଙ୍କ ଉପସ୍ଥିତିରେ ହେବାକୁ ଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ନେଇ ରାଜନୈତିକ ମହଲରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି।
ବିଧାୟକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରୁ ବିଜେଡି ଓ କଂଗ୍ରେସର ଦୂରେଇ ରହିବା ନିଷ୍ପତ୍ତି ଏକ ରାଜନୈତିକ ବାର୍ତ୍ତା ବୋଲି ଚର୍ଚ୍ଚା ହେଉଛି। ପୂର୍ବରୁ ପିସିସି ସଭାପତି ଭକ୍ତଚରଣ ଦାସ କଂଗ୍ରେସ ବିଧାୟକମାନେ ଏହି କାର୍ଯ୍ୟକ୍ରମରେ ଯୋଗ ନଦେବେ ବୋଲି ସ୍ପଷ୍ଟ କରିଥିଲେ। ଏବେ ବିଜେଡି ମଧ୍ୟ ସମାନ ରାସ୍ତା ଆପଣାଇଛି। ତେଣୁ କାର୍ଯ୍ୟକ୍ରମରେ ବିରୋଧୀ ଦଳର ବିଧାୟକଙ୍କ ଅନୁପସ୍ଥିତି ରହିବା ସମ୍ଭାବନା ରହିଛି। ଏହା ଫଳରେ କାର୍ଯ୍ୟକ୍ରମରେ କେବଳ ବିଜେପି ବିଧାୟକମାନେ ସାମିଲ ହେବେ ବୋଲି ଖବର ମିଳିଛି।
ଅନ୍ୟପଟେ, ଏହି କାର୍ଯ୍ୟକ୍ରମକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅନୁମତି ଦିଆଯାଇନାହିଁ। ଉଦ୍ଘାଟନୀ ସଭାରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କ ସହ ରାଜ୍ୟପାଳ ବ୍ରଜ ମୋହନ ରାମ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବେ। ଏଭଳି ସ୍ଥିତିରେ ଶାସକ ଦଳର ବିଧାୟକଙ୍କ ଉପସ୍ଥିତି ଏବଂ ବିରୋଧୀଙ୍କ ବର୍ଜନକୁ ନେଇ ରାଜନୈତିକ ଚର୍ଚ୍ଚା ଆହୁରି ଜୋର ଧରିଛି।
ଆଜି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସକାଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେ ଲୋକଭବନ ଯିବେ। ଏହାପରେ ମେ’ ଫେୟାର ସାଙ୍କ୍ଚୁଆରି କନଭେନସନ୍ ହଲ୍ରେ ବିଧାୟକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଘାଟନ କରିବେ। ପରେ କଟକସ୍ଥିତ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟରେ ଆଇକନିକ୍ ଟାୱାରର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ଣରେ ସେ ନୂଆଦିଲ୍ଲୀ ଫେରିଯିବେ।
ଉପରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ରାଜ୍ୟ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଥିବାବେଳେ ଟୁଇନ୍ ସିଟିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କମିସନରେଟ୍ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ କରାଯାଇଛି। ତେବେ ଉପରାଷ୍ଟ୍ରପତିଙ୍କ ଗସ୍ତର ଆନୁଷ୍ଠାନିକତା ଭିତରେ ବିରୋଧୀଙ୍କ ବର୍ଜନ ନିଷ୍ପତ୍ତି ରାଜ୍ୟର ରାଜନୈତିକ ପରିବେଶକୁ ଆହୁରି ସରଗରମ କରିଛି।


