ଭୁବନେଶ୍ୱର: ରାଜସ୍ୱ ପ୍ରଶାସନକୁ ଅଧିକ ସ୍ୱଚ୍ଛ, ସୁଗମ, ସୁସଂଗଠିତ ଓ ନାଗରିକମୁଖୀ କରିବା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ସ୍ୱରୁପ ଶୁକ୍ରବାର ରାଜସ୍ୱ ପର୍ଷଦ, ଓଡ଼ିଶାର ନୂତନ ୱେବସାଇଟ୍ ଏବଂ ତ୍ରୈମାସିକ ଜର୍ଣ୍ଣାଲର ଶୁଭାରମ୍ଭ କରାଯାଇଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହି ନୂତନ ୱେବସାଇଟ୍ ଓ ଜର୍ଣ୍ଣାଲର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ରାଜସ୍ୱ ପର୍ଷଦର ସଦସ୍ୟ ସତ୍ୟବ୍ରତ ସାହୁ, ରାଜସ୍ୱ ପର୍ଷଦର ସଚିବ ଲକ୍ଷ୍ମୀକାନ୍ତ ସେଠୀ ତଥା ରାଜସ୍ୱ ପ୍ରଶାସନର ବରିଷ୍ଠ ଅଧିକାରୀ, ବିଭିନ୍ନ ବିଭାଗର ଅଧିକାରୀବୃନ୍ଦ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ, ଏହି ଦୁଇଟି ପଦକ୍ଷେପ କେବଳ ଏକ ନୂତନ ୱେବ୍ସାଇଟ୍ କିମ୍ବା ଏକ ନୂତନ ପ୍ରକାଶନର ଆରମ୍ଭ ନୁହେଁ ; ବରଂ ରାଜସ୍ୱ ପ୍ରଶାସନରେ ପ୍ରଯୁକ୍ତି, ସୂଚନା ଓ ନ୍ୟାୟିକ ଜ୍ଞାନକୁ ଅଧିକ ବ୍ୟାପକ ଭାବେ ଉପଲବ୍ଧ କରାଇବାର ଏକ ନୂତନ ଅଧ୍ୟାୟ। ରାଜସ୍ୱ ପର୍ଷଦ, ଓଡ଼ିଶାର ଏକ ଦୀର୍ଘ ଓ ଗୌରବମୟ ପ୍ରଶାସନିକ ଐତିହ୍ୟ ରହିଛି। ରାଜ୍ୟର ରାଜସ୍ୱ ପ୍ରଶାସନର ବିକାଶ ସହିତ ଏହି ପ୍ରତିଷ୍ଠାନର ଭୂମିକା ଗଭୀର ଭାବେ ଜଡ଼ିତ। ଜମି, ଭୂ-ଅଭିଲେଖ, ଅଧିକାର, ରାଜସ୍ୱ ଆଇନ ଓ ଜମିଜମା ସମ୍ବନ୍ଧୀୟ ବିବାଦର ସମାଧାନ କ୍ଷେତ୍ରରେ ରାଜସ୍ୱ ପର୍ଷଦ ଏକ ଗୁରୁତ୍ୱପୂର୍ଣ୍ଣ ଶୀର୍ଷ ପ୍ରତିଷ୍ଠାନ ଭାବେ ନିଜର ଦାୟିତ୍ୱ ନିର୍ବାହ କରି ଆସିଛି। ଏହି ପରିପ୍ରେକ୍ଷୀରେ ଆଗାମୀ ଦିନରେ ରାଜସ୍ୱ ପ୍ରଶାସନକୁ ଅଧିକ କ୍ରିୟାଶୀଳ କରିବା ଦିଗରେ ତଥା ଜମିଜମା ସମ୍ବନ୍ଧୀୟ ମାମଲା ଗୁଡ଼ିକର ତ୍ୱରିତ ସମାଧାନ ସୁନିଶ୍ଚିତ କରିବା ନିମନ୍ତେ ରାଜସ୍ୱ ପର୍ଷଦଙ୍କ ଆବଶ୍ୟକ ଭିତ୍ତିଭୂମି ସୁଦୃଢୀକରଣ ଏବଂ ପର୍ଯ୍ୟାପ୍ତ ମାନବସମ୍ବଳ ବ୍ୟବସ୍ଥା ନିମନ୍ତେ ମାନ୍ୟବର ରାଜସ୍ୱ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ସେହିପରି ନୂତନ ପ୍ରକାଶିତ ଜର୍ଣ୍ଣାଲ୍ ରାଜସ୍ୱ ବିଭାଗର ବିଭିନ୍ନସ୍ତରରେ ଅଧିକାରୀଗଣ ନିୟମିତ ଅଧ୍ୟୟନ କରିବା ଦିଗରେ ଗୁରୁତ୍ୱାରୋପ କରି ଏହି ଜର୍ଣ୍ଣାଲର ମାର୍ଗଦର୍ଶନରେ ରାଜସ୍ୱ ପ୍ରଶାସନିକ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଆଶାବ୍ୟକ୍ତ କରିଥିଲେ। ସେହିପରି ସଦସ୍ୟ, ରାଜସ୍ୱ ପର୍ଷଦ ସତ୍ୟବ୍ରତ ସାହୁ କହିଥିଲେ ଯେ, ରାଜସ୍ୱ ପର୍ଷଦର ପ୍ରଶାସନିକ ଐତିହ୍ୟ ସହିତ ଆଧୁନିକ ପ୍ରଯୁକ୍ତିର ସମନ୍ୱୟର ଏକ ନୂତନ ଆରମ୍ଭର ଫଳପ୍ରସୂ ପରିଣାମ ଆଜିର ନୂତନ ୱେବସାଇଟର ଶୁଭାରମ୍ଭ। ନୂତନ ୱେବସାଇଟ୍ ମାଧ୍ୟମରେ ରାଜସ୍ୱ ପର୍ଷଦର ବିଭିନ୍ନ କାର୍ଯ୍ୟକଳାପ, ଶାଖା ଓ ବିଭାଗ ସମ୍ପର୍କରେ ଆବଶ୍ୟକ ସୂଚନାକୁ ଏକ ସୁସଂଗଠିତ ଡିଜିଟାଲ୍ ମଞ୍ଚରେ ଉପଲବ୍ଧ କରାଯାଇଛି। ଏହା ସହିତ ଭୂ-ସଂସ୍କାର ଆୟୁକ୍ତ, ଭୂ-ଅଭିଲେଖ ଓ ବନ୍ଦୋବସ୍ତ ଆୟୁକ୍ତ, ଚକବନ୍ଦୀ ଏବଂ ନିବନ୍ଧନ ମହାନିରୀକ୍ଷକଙ୍କ ଭଳି ପ୍ରମୁଖ ରାଜସ୍ୱ ସଂସ୍ଥା ସମ୍ପର୍କରେ ମଧ୍ୟ ସୂଚନାକୁ ସହଜରେ ଉପଲବ୍ଧ କରାଯାଇଛି।
ଅନ୍ୟପକ୍ଷରେ, ରାଜସ୍ୱ ପର୍ଷଦ ପକ୍ଷରୁ ପ୍ରକାଶିତ ତ୍ରୈମାସିକ ଜର୍ଣ୍ଣାଲ ରାଜସ୍ୱ ନ୍ୟାୟ ବ୍ୟବସ୍ଥାରେ ଏକ ନୂତନ ଜ୍ଞାନଭିତ୍ତିକ ପଦକ୍ଷେପ ଭାବେ ପରିଗଣିତ ହେବ। ଜର୍ଣ୍ଣାଲ କେବଳ ଏକ ପ୍ରକାଶନ ନୁହେଁ ; ଏହା ରାଜସ୍ୱ ଆଇନର ପ୍ରୟୋଗ, ନ୍ୟାୟିକ ନିଷ୍ପତ୍ତିର ଧାରା ଏବଂ ବିଭିନ୍ନ ଜମିଜମା ସମ୍ବନ୍ଧୀୟ ଜଟିଳ ପ୍ରସଙ୍ଗରେ ଏକ ମୂଲ୍ୟବାନ ମାର୍ଗଦର୍ଶିକା। ପ୍ରକାଶ ଥାଉ କି, ପୂର୍ବରୁ ରାଜସ୍ୱ ପର୍ଷଦର ଜର୍ଣ୍ଣାଲ୍ ସାଧାରଣତଃ ବାର୍ଷିକ ଭିତ୍ତିରେ ପ୍ରକାଶ ପାଉଥିଲା। ଗୁରୁତ୍ୱପୂର୍ଣ୍ଣ ମାମଲାର ନିଷ୍ପତ୍ତି ସଂଖ୍ୟା ଅପେକ୍ଷାକୃତ କମ୍ ଥିବାରୁ ବର୍ଷ ଶେଷରେ ଗୁରୁତ୍ୱପୂର୍ଣ୍ଣ ଆଦେଶଗୁଡ଼ିକୁ ସଂଗ୍ରହ କରି ବାର୍ଷିକ ସଂକଳନ ଆକାରରେ ପ୍ରକାଶ କରାଯାଉଥିଲା। ଏହି ଦୁଇଟି ପଦକ୍ଷେପ ; ନୂତନ ୱେବସାଇଟ୍ ଓ ତ୍ରୈମାସିକ ଜର୍ଣ୍ଣାଲ ପରସ୍ପର ପରିପୂରକ। ୱେବସାଇଟ୍ ସୂଚନାକୁ ନାଗରିକଙ୍କ ନିକଟକୁ ନେଇଯିବାବେଳେ ଜର୍ଣ୍ଣାଲ ରାଜସ୍ୱ ନ୍ୟାୟର ଅନୁଭୂତି ଓ ଜ୍ଞାନକୁ ରାଜସ୍ୱ ପ୍ରଶାସନର ବିଭିନ୍ନ ସ୍ତରରେ ପହଞ୍ଚାଇବ।
ଡିଜିଟାଲ୍ ଯୁଗରେ ନୂଆ ରୂପରେ ରାଜସ୍ୱ ପର୍ଷଦ, ୱେବସାଇଟ୍ ଓ ତ୍ରୈମାସିକ ଜର୍ଣ୍ଣାଲର ଶୁଭାରମ୍ଭ
No Comments2 Mins Read


