ନୂଆଦିଲ୍ଲୀ: ଦୀର୍ଘ ୬ ବର୍ଷର ଅପେକ୍ଷା ପରେ ପୁଣି ଥରେ ଭାରତରୁ ଚୀନକୁ ଆରମ୍ଭ ହେବ ସିଧା ବିମାନ ସେବା। ଆସନ୍ତା ୨୧ ତାରିଖରୁ ନୂଆଦିଲ୍ଲୀ-ଗୁଆଙ୍ଗଜୋ ଡାଇରେକ୍ଟ ଫ୍ଲାଇଟ୍ ଚଳାଚଳ କରିବ ବୋଲି ଚୀନ୍ ସଦର୍ଣ୍ଣ ଏୟାରଲାଇନ୍ସ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ମହାମାରୀ ପରଠାରୁ ଭାରତ ଓ ଚୀନ ମଧ୍ୟରେ ସିଧା ବିମାନ ଯୋଗାଯୋଗ ବନ୍ଦ ରହିଥିଲା।
ନୂଆଦିଲ୍ଲୀରୁ ଗୁଆଙ୍ଗଜୋକୁ ସିଧା ବିମାନ ଚଳାଚଳ ଆରମ୍ଭ ହେବା ପରେ ଦୁଇ ଦେଶ ମଧ୍ୟରେ ଯାତ୍ରୀଙ୍କ ଯାତାୟାତ ଅଧିକ ସହଜ ହେବ। ବିଶେଷକରି ବ୍ୟବସାୟ, ଶିକ୍ଷା, ପର୍ଯ୍ୟଟନ ଓ ଅନ୍ୟାନ୍ୟ କ୍ଷେତ୍ରରେ ଭାରତ-ଚୀନ ସମ୍ପର୍କ ପାଇଁ ଏହି ବିମାନ ସେବାକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।
ଚୀନ୍ ସଦର୍ଣ୍ଣ ଏୟାରଲାଇନ୍ସ ଅନୁସାରେ, ଦକ୍ଷିଣ ଏସିଆ ଅଞ୍ଚଳରେ ସାପ୍ତାହିକ ଭାବେ ୧୦୦ରୁ ଅଧିକ ବିମାନ ଚଳାଚଳ କରିବ। ଏହା ଫଳରେ ଚୀନ ଓ ଦକ୍ଷିଣ ଏସିଆ ମଧ୍ୟରେ ଆକାଶପଥ ଯୋଗାଯୋଗ ଆହୁରି ମଜବୁତ ହେବା ସହ ଯାତ୍ରୀଙ୍କ ପାଇଁ ଯାତାୟାତ ବିକଳ୍ପ ବଢ଼ିବ।
ଏପଟେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ନୂଆଦିଲ୍ଲୀରେ ଅନୁଷ୍ଠିତ ୧୮ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ଆଜି (ଶନିବାର) ଭାରତ ଆସୁଛନ୍ତି। ପ୍ରାୟ ସାତ ବର୍ଷ ମଧ୍ୟରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ। ଏହି ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସି ଜିନପିଙ୍ଗଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ମଧ୍ୟ ହେବ। ଚୀନ୍ ରାଷ୍ଟ୍ରଦୂତ ଜୁ ଫିହୋଙ୍ଗ କହିଛନ୍ତି ଯେ ଭାରତ ଓ ଚୀନ ମଧ୍ୟରେ ରହିଥିବା ମତଭେଦକୁ ଉପଯୁକ୍ତ ଢଙ୍ଗରେ ସମାଧାନ କରାଯିବ। ଦୁଇ ଦେଶ ମଧ୍ୟରେ ଯୋଗାଯୋଗ ଓ ସହଯୋଗ ବଢ଼ାଇବା ଦିଗରେ ଏହି ପଦକ୍ଷେପକୁ ଗୁରୁତ୍ୱ ଦିଆଯାଉଛି।
୬ ବର୍ଷ ପରେ ଭାରତ-ଚୀନ ଡାଇରେକ୍ଟ ଫ୍ଲାଇଟ୍ ପୁଣି ଆରମ୍ଭ ହେବା ଏବଂ ଚୀନ ପକ୍ଷରୁ ଦୁଇ ଦେଶର ମତଭେଦ ସମାଧାନ ନେଇ ବୟାନ ଆସିବା – ଉଭୟ ଘଟଣାକୁ ଭାରତ-ଚୀନ ସମ୍ପର୍କରେ ନୂଆ ଅଧ୍ୟାୟର ସଙ୍କେତ ଭାବେ ଦେଖାଯାଉଛି।


