ନୂଆଦିଲ୍ଲୀ: ଭାରତୀୟ ସ୍ପିନର ମାନବ ସୂତାର କାଉଣ୍ଟି ଚାମ୍ପିଅନସିପରେ ଏଭଳି ଏକ ରେକର୍ଡ ସୃଷ୍ଟି କରିଛନ୍ତି, ଯାହା ବର୍ଷ ବର୍ଷ ଧରି ଦେଖିବାକୁ ମିଳିନଥିଲା। ୱାରୱିକଶାୟାର ପାଇଁ ଖେଳୁଥିବା ସୁତାର ଶ୍ରୀଲଙ୍କା ଗସ୍ତରେ ଟିମ୍ ଇଣ୍ଡିଆ ସହିତ ଥିଲେ। ସେ ଫାଇନାଲ ମ୍ୟାଚ୍ ର ତିନି ଦିନ ପରେ ଇଂଲଣ୍ଡ ଯାଇଥିଲେ। ସେ ଗ୍ଲାମୋର୍ଗାନ୍ ବିପକ୍ଷ ମ୍ୟାଚ୍ ର ଉଭୟ ଇନିଂସରେ ୱିକେଟ୍ ନେଇଥିଲେ ଏବଂ ଉଭୟ ଇନିଂସରେ କୌଣସି ରନ୍ ନଦେଇ ଇତିହାସ ସୃଷ୍ଟି କରିଥିଲେ।
କାର୍ଡିଫ୍ ରେ ଖେଳାଯାଇଥିବା ଏହି ମ୍ୟାଚ୍ ରେ ୱାରୱିକଶାୟାର ଗ୍ଲାମୋର୍ଗାନ୍ କୁ ଶୋଚନୀୟ ପରାସ୍ତ କରିଥିଲା। ଗ୍ଲାମୋର୍ଗାନ୍ ର ପ୍ରଥମ ଇନିଂସ ୬୯ ରନ୍ ରେ ଅଟକି ଯାଇଥିଲା, ସେହି ଇନିଂସରେ ସୁତାର ଗୋଟିଏ ୱିକେଟ୍ ନେଇଥିଲେ। ୱାରୱିକଶାୟାର ଦ୍ୱିତୀୟ ଇନିଂସରେ ଗ୍ଲାମୋର୍ଗାନ୍ କୁ ୬୫ ରନ୍ ରେ ଆଉଟ୍ କରି ଏକ ଇନିଂସ ଏବଂ ୨୫୭ ରନ୍ ର ବିଶାଳ ବ୍ୟବଧାନରେ ମ୍ୟାଚ୍ ଜିତିଥିଲା। ସୁତାର ଦ୍ୱିତୀୟ ଇନିଂସରେ ଦୁଇଟି ୱିକେଟ୍ ନେଇଥିଲେ।
ଇତିହାସ ସୃଷ୍ଟି କଲେ ମାନବ ସୂତାର
ଗ୍ଲାମୋର୍ଗାନ୍ ର ପ୍ରଥମ ଇନିଂସରେ କେବଳ ଜଣେ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କରେ ପହଞ୍ଚିଥିଲେ। ୨୭ତମ ଓଭରରେ ମାନବ ସୂତାରଙ୍କୁ ବୋଲିଂ କରିବାକୁ ପଠାଯାଇଥିଲା, ଯେତେବେଳେ ନଅଟି ୱିକେଟ ପଡ଼ିଯାଇଥିଲା। ସେ ତାଙ୍କର ତୃତୀୟ ବଲ୍ ରେ ମିର ହମଜାଙ୍କୁ ବୋଲ୍ଡ କରିଥିଲେ।
ଦ୍ୱିତୀୟ ଇନିଂସରେ ସୁତାରଙ୍କୁ ୨୪ତମ ଓଭରରେ ବୋଲିଂ କରିବାକୁ ପଠାଯାଇଥିଲା, ସେ ଏକ ମେଡେନ୍ ଓଭର କରିଥିଲେ। ତାଙ୍କର ଦ୍ୱିତୀୟ ଓଭରରେ ସେ କ୍ରିସ୍ କୁକ୍ (୯) ଏବଂ ଜେମି ମ୍ୟାକଇରୋୟ (୦)ଙ୍କୁ ଆଉଟ୍ କରିଥିଲେ, ଉଭୟ ବ୍ୟାଟସମ୍ୟାନଙ୍କୁ ବୋଲ୍ଡ କରିଥିଲେ। ଏହିପରି, ସୁତାର ମ୍ୟାଚ୍ ରେ ୨.୩ ଓଭର ବୋଲିଂ କରିଥିଲେ ଏବଂ ଗୋଟିଏ ବି ରନ ନଦେଇ ତିନୋଟି ୱିକେଟ ନେଇଥିଲେ।
ଏହା ୧୩୧ ବର୍ଷ ପରେ ଘଟିଥିଲା
ପ୍ରଥମ ଶ୍ରେଣୀ କ୍ରିକେଟ ଇତିହାସରେ ଏହା କେବଳ ଦ୍ୱିତୀୟ ଥର ଘଟିଛି। ଯାହା ଜଣେ ବୋଲର ଗୋଟିଏ ବି ରନ ନଦେଇ ଉଭୟ ଇନିଂସରେ ୱିକେଟ ନେଇଛନ୍ତି। ଇଂଲଣ୍ଡର ଟମ୍ ହେୱାର୍ଡ ୧୮୯୫ ମସିହାରେ ଏହା କରିଥିଲେ। ଏବେ, ୧୩୧ ବର୍ଷ ପରେ ସୁତାର ସମାନ କାର୍ଯ୍ୟ କରି ଇତିହାସ ସୃଷ୍ଟି କରିଛନ୍ତି।


