ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମରେ ୧୯୮୦ ଦଶକର ପ୍ରତିଛବି ପ୍ରସ୍ତୁତି ଏବେ ଏକ ବଡ଼ ଟ୍ରେଣ୍ଡ୍ ଭାବେ ଉଭା ହୋଇଛି। ନିଜର ସାଧାରଣ ଛବିକୁ କୃତ୍ରିମ ବୁଦ୍ଧିମତ୍ତା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଆପ୍ରେ ଅପଲୋଡ୍ କରି ୮୦ ଦଶକର ପୁରୁଣା ଆଲବମ୍ ଶୈଳୀର ଫଟୋ ପ୍ରସ୍ତୁତ କରିବାକୁ ନେଇ ଯୁବପିଢ଼ିଙ୍କ ମଧ୍ୟରେ ଅସମ୍ଭବ କ୍ରେଜ୍ ଦେଖିବାକୁ ମିଳିଛି। ତେବେ ମାତ୍ର କେତେକ ସେକେଣ୍ଡ ମଧ୍ୟରେ ତିଆରି ହେଉଥିବା ଏହି ଆକର୍ଷଣୀୟ ଫଟୋ ପଛରେ ଏକ ଗମ୍ଭୀର ପରିବେଶୀୟ ସଙ୍କଟ ଲୁଚି ରହିଛି, ଯାହା ଉପରେ ସାଧାରଣତଃ କାହାର ଦୃଷ୍ଟି ଯାଏନାହିଁ।
କାର୍ନେଗି ମେଲନ୍ ବିଶ୍ୱବିଦ୍ୟାଳୟ ଏବଂ ହଗିଂ ଫେସ୍ର ଗବେଷଣା ଅନୁଯାୟୀ, କୃତ୍ରିମ ବୁଦ୍ଧିମତ୍ତା ଜରିଆରେ ଗୋଟିଏ ଛବି ପ୍ରସ୍ତୁତ କରିବା ପାଇଁ ୦.୦୧ ରୁ ୦.୨୯ କିଲୋୱାଟ୍-ଘଣ୍ଟା ବିଦ୍ୟୁତ୍ ଶକ୍ତି ଆବଶ୍ୟକ ହୋଇଥାଏ। ଜାତିସଂଘ ବିଶ୍ୱବିଦ୍ୟାଳୟର ସୂଚନା ମୁତାବକ, ଗୋଟିଏ ଏଆଇ ଛବି ତିଆରି ପାଇଁ ଯେତିକି ବିଦ୍ୟୁତ୍ ଖର୍ଚ୍ଚ ହୁଏ, ସେଥିରେ ୧୦ ୱାଟ୍ର ଏକ ଏଲ୍ଇଡି ବଲ୍ବ ପ୍ରାୟ ୧୭ ମିନିଟ୍ ଧରି ଜଳିପାରିବ। ସେହିପରି ଗୋଟିଏ ସଂକ୍ଷିପ୍ତ ଏଆଇ ଭିଡିଓ ପ୍ରସ୍ତୁତି ପାଇଁ ଉକ୍ତ ବଲ୍ବ ୪୨ ଘଣ୍ଟା ଜଳିବା ଯାତ୍ରା ବିଦ୍ୟୁତ୍ ବ୍ୟବହୃତ ହୋଇଥାଏ। ବିଦ୍ୟୁତ୍ ସହ ଜଳ ସମ୍ପଦର ବ୍ୟବହାର ମଧ୍ୟ ଏହା ସହ ଯୋଡ଼ିହୋଇ ରହିଛି। ଗୋଟିଏ ଛବି ତିଆରି ପାଇଁ ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ପରୋକ୍ଷ ଭାବେ ପ୍ରାୟ ୨୯ ମିଲିଲିଟର (ଦୁଇ ଚାମଚ) ଜଳ ଖର୍ଚ୍ଚ ହେଉଥିବା ବେଳେ ଗୋଟିଏ ଭିଡିଓ ପାଇଁ ଏହା ୪.୧ ଲିଟର ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ।
ବ୍ୟକ୍ତିଗତ ଭାବେ ଗୋଟିଏ ଫଟୋର ପ୍ରଭାବ କମ୍ ମନେହେଉଥିଲେ ହେଁ, କୋଟି କୋଟି ଲୋକ ଏହି ଟ୍ରେଣ୍ଡ୍ର ଶିକାର ହେବା ଦ୍ୱାରା ପ୍ରକୃତି ଉପରେ ଚାପ ପ୍ରଚଣ୍ଡ ଭାବେ ବୃଦ୍ଧି ପାଉଛି। ଡାଟା ସେଣ୍ଟରଗୁଡ଼ିକ ଗତବର୍ଷ ବିଶ୍ୱସ୍ତରରେ ୪୪୮ ଟେରାୱାଟ୍-ଘଣ୍ଟା ବିଦ୍ୟୁତ୍ ଏବଂ ୪.୫ ଟ୍ରିଲିୟନ ଲିଟର ଜଳ ବ୍ୟବହାର କରିବା ସହ ୧୮୯ ନିୟୁତ ଟନ୍ କାର୍ବନ ଡାଇଅକ୍ସାଇଡ୍ ନିର୍ଗମନ କରିଛନ୍ତି। ୨୦୩୦ ମସିହା ସୁଦ୍ଧା ଡାଟା ସେଣ୍ଟରଗୁଡ଼ିକର ବିଦ୍ୟୁତ୍ ଖର୍ଚ୍ଚ ୯୪୫ ଟେରାୱାଟ୍-ଘଣ୍ଟା ଏବଂ ଜଳ ବ୍ୟବହାର ୯.୩ ଟ୍ରିଲିୟନ ଲିଟରକୁ ବୃଦ୍ଧି ପାଇବା ସହ ଏଆଇ ଭିତ୍ତିଭୂମିରୁ ବାର୍ଷିକ ୨.୫ ନିୟୁତ ଟନ୍ ଇଲେକ୍ଟ୍ରୋନିକ୍ ବର୍ଜ୍ୟବସ୍ତୁ ସୃଷ୍ଟି ହେବାର ଆଶଙ୍କା ରହିଛି।
ଏହି ସମସ୍ୟାର ସିଧାସଳଖ ପ୍ରଭାବ ଭାରତରେ ମଧ୍ୟ ଦେଖିବାକୁ ମିଳିଛି। ଆନ୍ଧ୍ରପ୍ରଦେଶରେ ଗୁଗଲ୍ର ପ୍ରସ୍ତାବିତ ୧୫ ବିଲିୟନ ଡଲାରର ଡାଟା ସେଣ୍ଟର ପ୍ରକଳ୍ପକୁ ନେଇ ପରିବେଶବିତ୍ମାନେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ବିଶାଖାପାଟଣାରେ ଜଳସଙ୍କଟ ଏବଂ ଅଭୟାରଣ୍ୟ ନିକଟରେ ଜୈବବିବିଧତା ପ୍ରତି ବିପଦ ସୃଷ୍ଟି ହେଉଥିବା ଅଭିଯୋଗ କରି ଆଇନଗତ ଆହ୍ୱାନ ଦିଆଯାଇଛି। ଡିଜିଟାଲ ଜଗତର ସୁବିଧା ସୁଯୋଗ ପଛରେ ପ୍ରକୃତ ସମ୍ପଦର ଯେଉଁ ବିପୁଳ କ୍ଷୟକ୍ଷତି ହେଉଛି, ତାହାକୁ ବୁଝି ବିଚାରପୂର୍ବକ ବ୍ୟବହାର କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।


