ଭୁବନେଶ୍ବର: ମାନସିକ ଚାପ ଓ ନିର୍ଯାତନା ଅସହ୍ୟ ହେବାରୁ ଜଣେ ଅଗ୍ନିଶମ କର୍ମଚାରୀ ଚରମ ନିଷ୍ପତ୍ତି ନେଇ କାର୍ଯ୍ୟାଳୟ ଛାତ ଉପରକୁ ଚଢ଼ି ଆତ୍ମାହୁତି ଦେବାକୁ ଉଦ୍ୟମ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ଶାଳପଡ଼ା ଅଗ୍ନିଶମ କାର୍ଯ୍ୟାଳୟରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।
ପ୍ରାପ୍ତ ଖବର ଅନୁଯାୟୀ, ଶାଳପଡ଼ା ଅଗ୍ନିଶମ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀ ହେମାନନ୍ଦ ଦେହୁରୀ ଅଫିସରଙ୍କ ଶୋଷଣ ଓ ନିର୍ଯାତନାରେ ଅତିଷ୍ଠ ହୋଇପଡ଼ିଥିଲେ। ବାରମ୍ବାର ମାନସିକ ଚାପ ସହି ନପାରି ଶେଷରେ ସେ ନିଜ ଜୀବନ ହାରିବା ପାଇଁ କାର୍ଯ୍ୟାଳୟର ତିନି ତାଲା ଛାତ ଉପରକୁ ଚଢ଼ି ଯାଇଥିଲେ। ସେଠାରେ ସେ ଆତ୍ମାହୁତି ନିମନ୍ତେ ପ୍ରୟାସ କରୁଥିବା ସମୟରେ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀମାନେ ଏହା ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ସେମାନେ ଛାତ ଉପରକୁ ଯାଇ ତାଙ୍କୁ ବୁଝାସୁଝା କରିବା ସହ ଅତି କୌଶଳର ସହିତ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।
ସମ୍ପୃକ୍ତ କର୍ମଚାରୀ ହେମାନନ୍ଦ ଦେହୁରୀ ଅଭିଯୋଗ କରିଛନ୍ତି ଯେ, କାର୍ଯ୍ୟାଳୟର ଅଫିସର ସୂର୍ଯ୍ୟ ହେମ୍ବ୍ରମ ତାଙ୍କୁ ପ୍ରତ୍ୟେକ ସମୟରେ ଅକାରଣରେ ମାନସିକ ଚାପ ଦେବା ସହ କର୍ମକ୍ଷେତ୍ରରେ ନିର୍ଯାତନା ଦେଇଆସୁଛନ୍ତି। ଏହି ନିର୍ଯାତନା ଅସହ୍ୟ ହେବାରୁ ସେ ଏପରି କଠୋର ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ। ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖି ସେ ଚେତାବନୀ ଦେଇଛନ୍ତି ଯେ, ଯଦି ଅଭିଯୁକ୍ତ ଅଫିସରଙ୍କ ବିରୋଧରେ ତୁରନ୍ତ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନନିଆଯାଏ, ତେବେ ସେ ଆଗାମୀ ଦିନରେ ପୁଣି ଥରେ କୌଣସି ଚରମ ନିଷ୍ପତ୍ତି ଗ୍ରହଣ କରିବାକୁ ବାଧ୍ୟ ହେବେ। ଏହି ଘଟଣା ପରେ ଅଗ୍ନିଶମ ବିଭାଗର ଆଭ୍ୟନ୍ତରୀଣ ପରିଚାଳନା ଓ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


