ଭୁବନେଶ୍ଵର: ନୟାଗଡ଼ ଭାପୁର ଓ ଖଣ୍ଡପଡ଼ା ବ୍ଲକରେ ପ୍ରାୟ ୧୦୫ କୋଟି ଟଙ୍କା ବ୍ୟୟରେ ୭ଟି ରାସ୍ତା ଓ ସେତୁ ନିର୍ମାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଏହି ରାସ୍ତା ଓ ସେତୁ ନିର୍ମାଣ ଦ୍ୱାରା ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବା ସହ ଲୋକଙ୍କ ଯାତାୟାତ ସୁବିଧା ବୃଦ୍ଧି ପାଇବ। ଏଥିସହ ବାଣିଜ୍ୟିକ କାରବାର ଓ ଅଞ୍ଚଳର ସାମଗ୍ରିକ ବିକାଶକୁ ନୂଆ ଗତି ମିଳିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଏହି ଅବସରରେ କହିଛନ୍ତି। କାର୍ଯ୍ୟକ୍ରମରେ କଟକ ସାଂସଦ ଭର୍ତ୍ତୃହରି ମହତାବ, ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଓ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ପ୍ରମୁଖ ଯୋଗ ଦେଇଥିଲେ।


