ସମ୍ବଲପୁର: ସମ୍ବଲପୁରରେ ପୁଣି ଏକ ପୁଲିସ ଏନକାଉଣ୍ଟର ଘଟିଛି। ସଦର ଥାନା ପୁଲିସ ଗୁଳିରେ କୁଖ୍ୟାତ ଅପରାଧୀ ମହମ୍ମଦ ଇରଫାନ୍ ଗୁରୁତର ଆହତ ହୋଇଛି। ତା’ ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାକୁ ଚିକିତ୍ସା ପାଇଁ ବୁର୍ଲା ଭୀମସାରରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ଇରଫାନ୍ ଓ ତା’ର ଜଣେ ସହଯୋଗୀ ବାଇକ୍ରେ ଯାଉଥିବା ବେଳେ ପୁଲିସ ସେମାନଙ୍କୁ ପିଛା କରିଥିଲା। ସଦର ଥାନା ଅନ୍ତର୍ଗତ କେନାଲ ରୋଡ୍ର ସୁଡୁଙ୍ଗା ଜଙ୍ଗଲ ନିକଟରେ ପୁଲିସ ଟିମ୍ ସେମାନଙ୍କୁ ଅଟକାଇ ଉଭୟଙ୍କୁ କାବୁ କରିବାକୁ ଉଦ୍ୟମ କରିଥିଲା। ତେବେ ଇରଫାନ୍ ଘଟଣାସ୍ଥଳରୁ ଖସି ପଳାଇବାକୁ ଚେଷ୍ଟା କରି ପୁଲିସ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଥିଲା। ପୁଲିସର ପାଲଟା ୨ ରାଉଣ୍ଡ ଯବାବୀ ଫାୟାରିଂରେ ଇରଫାନ୍ ଗୁଳିବିଦ୍ଧ ହୋଇଥିଲା। ଘଟଣାସ୍ଥଳରୁ ପୁଲିସ ଗୋଟିଏ ପିସ୍ତଲ, ଗୁଳି, ୩ଟି ଖାଲି କାର୍ଟ୍ରିଜ୍ ଏବଂ ବ୍ୟବହୃତ ବାଇକ୍ଟିକୁ ଜବତ କରିଛି। ଗିରଫ ଇରଫାନ୍ ନାମରେ ଡକାୟତି, ଲୁଟ୍ ଓ ନିଶାଦ୍ରବ୍ୟ କାରବାର ସମେତ ୨୪ରୁ ଅଧିକ ସଙ୍ଗୀନ ଅପରାଧିକ ମାମଲା ରହିଥିବା ପୁଲିସ ପକ୍ଷରୁ କୁହାଯାଇଛି।


