ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ୧ ନଭେମ୍ବର ୨୦୨୬ରେ ନୂଆଦିଲ୍ଲୀର ରାମଲୀଲା ମୈଦାନରେ INDIA ମେଣ୍ଟ ଏକ ବଡ଼ ବିରୋଧ ପ୍ରଦର୍ଶନ କରିବାକୁ ଯାଉଛି। ଏହି ରାଲିର ମୁଖ୍ୟ ଦାବି ହେଉଛି SIR ରେ ଅଭିଯୋଗ ହୋଇଥିବା ଅନିୟମିତତାକୁ ନେଇ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା। ଏହା ଭୋଟର ତାଲିକାରେ ଅଭିଯୋଗ ହୋଇଥିବା ହେରଫେର ଏବଂ ଗଣତାନ୍ତ୍ରିକ ଅଧିକାର ପ୍ରସଙ୍ଗରେ ବିରୋଧୀଙ୍କ ଅଭିଯାନର ଏକ ଅଂଶ।
କିନ୍ତୁ ଏହି ରାଲିରୁ ୪ଟି ବିରୋଧୀ ଦଳ ଦୂରେଇ ରହିବେ ବୋଲି ସୂଚନା ମିଳିଛି – ଆମ୍ ଆଦମୀ ପାର୍ଟି, DMK, AIMIM, ଏବଂ BJD। ଅନ୍ୟପଟେ TVK ର ଆଭିମୁଖ୍ୟକୁ ନେଇ ସସପେନ୍ସ ରହିଛି।
ସୂଚନା ଅନୁସାରେ, ଦିଲ୍ଲୀ ନିର୍ବାଚନ ପରେ AAP ର ସମୀକରଣ ବଦଳିଛି, କଂଗ୍ରେସ ଠାରୁ ଦୂରେଇ ଯାଇଛି। ପଞ୍ଜାବରେ ତାର ଲଢେଇ ଅକାଳୀ ଦଳ ଏବଂ କଂଗ୍ରେସ ସହ ରହିଛି। TVK କାରଣରୁ କଂଗ୍ରେସ ଠାରୁ DMK ଦୂରତା ରଖିଛି ବୋଲି ଚର୍ଚ୍ଚା ହେଉଛି। TVK ନୂଆ ସରକାର ଥିବାରୁ କେନ୍ଦ୍ର ସହ ସିଧା ସଂଘର୍ଷ ଚାହୁଁନାହିଁ।
ବିରୋଧୀଙ୍କ ଅଭିଯୋଗ କ’ଣ?
ବିରୋଧୀ ଦଳ ଅଭିଯୋଗ କରିଛନ୍ତି ଯେ ,ଯୋଗ୍ୟ ଭୋଟରଙ୍କ ନାମ ଭୁଲ ଭାବେ ହଟାଯାଇଛି, ଟେକ୍ନୋଲୋଜି ବ୍ୟବହାର ଏବଂ ଭେରିଫିକେସନ ପ୍ରକ୍ରିୟାରେ ତ୍ରୁଟି ରହିଛି ଏବଂ ନିର୍ବାଚନ ଆୟୋଗ ଅଭିଯୋଗ ଉପରେ ଉଚିତ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି।
ରାଲିକୁ କିଏ ଆସିବେ?
INDIA ମେଣ୍ଟର ଅନେକ ନେତା ସମର୍ଥନ ଦେଇଛନ୍ତି। କଂଗ୍ରେସରୁ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ୱାଡ୍ରା, TMC ରୁ ଡେରେକ ଓ’ବ୍ରାଏନ, SP ପ୍ରତିନିଧି, RJD ରୁ ତେଜସ୍ୱୀ ଯାଦବ, JMM ରୁ ହେମନ୍ତ ସୋରେନ ସାମିଲ ହେବେ। ଆୟୋଜକମାନେ ଛାତ୍ର ସଂଗଠନ, ଯୁବ ଗୋଷ୍ଠୀ, ସାମ୍ବାଦିକ ଏବଂ ସାମାଜିକ କର୍ମୀଙ୍କୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି।
BJP ର ପ୍ରତିକ୍ରିୟା:
ଅନ୍ୟପଟେ BJP ଏବଂ ସହଯୋଗୀ ଦଳ ଏହି ଅଭିଯୋଗକୁ ସମାଲୋଚନା କରିଛନ୍ତି ଏବଂ ରାଲିର ସମୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ନିର୍ବାଚନ ଆୟୋଗ କହିଛନ୍ତି ଯେ, ତାଙ୍କ ନିଷ୍ପତ୍ତିର ଆଇନଗତ ଆଧାର ଅଛି।


