ଶ୍ରୀନଗର: ଜମ୍ମୁ-କାଶ୍ମୀର ରାଜନୀତିରେ ହଲଚଲ ଦେଖାଦେଇଛି। ୨୭ ଅକ୍ଟୋବରରେ ହୋଇଥିବା ମନ୍ତ୍ରିମଣ୍ଡଳ ଅଦଳବଦଳ ପରେ ଶାସକ ନ୍ୟାସନାଲ କନଫରେନ୍ସ ଭିତରେ ବିଦ୍ରୋହର ସ୍ୱର ତୀବ୍ର ହୋଇଛି।
ସୂଚନା ଅନୁସାରେ, ଅତି କମରେ ୧୮ ଜଣ ବିଧାୟକ କୌଣସି ଔପଚାରିକ ଘୋଷଣା ବିନା ଶ୍ରୀନଗରରେ ଲୋଲାବ ବିଧାୟକ କୈସର ଜମସେଦ ଲୋନଙ୍କ ବାସଭବନରେ ଏକାଠି ହୋଇଥିଲେ।
ଏହି ଅଦଳବଦଳରେ NC ର ୪ ଜଣ ବିଧାୟକ – ଅଲୀ ମହମ୍ମଦ ସାଗର, ମୀର ସୈଫୁଲ୍ଲା, ଶମୀମା ଫିରଦୌସ ଏବଂ ଅଲତାଫ ଅହମ୍ମଦ କାଲୁଙ୍କୁ ମନ୍ତ୍ରିପରିଷଦରେ ସାମିଲ କରାଯାଇଥିବା ବେଳେ ନିର୍ଦ୍ଦଳୀୟ ବିଧାୟକ ସତୀଶ ଶର୍ମାଙ୍କୁ ବାହାର କରିଦିଆଯାଇଥିଲା, ଯାହାକୁ ନେଇ ବରିଷ୍ଠ ବିଧାୟକମାନେ ଅସନ୍ତୁଷ୍ଟ ଅଛନ୍ତି।
ଏହି ଗୁପ୍ତ ବୈଠକରେ କିଏ ଥିଲେ?:
ଏହି ବୈଠକରେ ମୁଜଫର ଇକବାଲ ଖାନ (ଥାନାମଣ୍ଡି), ମୁସ୍ତାକ ଅହମ୍ମଦ ଗୁରୁ (ଚନାପୋରା), ଡା. ସଜ୍ଜାଦ ସଫି (ଉରୀ), ଖୁର୍ସିଦ ଅହମ୍ମଦ (ଗୁଲାବଗଡ), ଅର୍ଜୁନ ସିଂ ରାଜୁ (ରାମବନ), ଜାବେଦ ଇକବାଲ ଚୌଧରୀ (ବୁଧଲ), ଏଜାଜ ଅହମ୍ମଦ ଜାନ (ପୁଞ୍ଛ ହବେଲୀ), ଅବଦୁଲ ମଜିଦ ଭଟ୍ଟ ଓରଫ ଲର୍ମୀ (ଅନନ୍ତନାଗ ପଶ୍ଚିମ), ବଶୀର ଅହମ୍ମଦ ବୀରୀ (ବିଜବେହରା), ହିଲାଲ ଅକବର ଲୋନ (ସୋନାୱାରୀ), ନଜୀର ଅହମ୍ମଦ ଖାନ (ଗୁରେଜ), ମୁବାରକ ଗୁଲ (ଈଦଗାହ), ଫାରୁକ ଅହମ୍ମଦ ଶାହ (ତଙ୍ଗମର୍ଗ), ସୈଫ-ଉଦ-ଦୀନ ଭଟ୍ଟ (ଖାନସାହିବ), ଜାବେଦ ଅହମ୍ମଦ (କରନାହ), ଗୁଲାମ ମୋହିଉଦ୍ଦୀନ ମୀର (ରାଜପୋରା), ହସନୈନ ମସୁଦୀ (ପମ୍ପୋର) ଏବଂ କୈସର ଜମସେଦ ଲୋନ (ଲୋଲାବ) ସାମିଲ ଥିଲେ। ଜଣେ ବରିଷ୍ଠ ବିଧାୟକ ଏହାକୁ କେବଳ ‘ବନ୍ଧୁତ୍ୱପୂର୍ଣ୍ଣ ଲଞ୍ଚ’ ବୋଲି କହି ରାଜନୈତିକ ଗୁରୁତ୍ୱକୁ ଏଡାଇ ଦେଇଛନ୍ତି, କିନ୍ତୁ ବିଧାୟକଙ୍କ ସଂଖ୍ୟା ଏବଂ ତାଲିକା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ଏମାନେ ସେହି ବିଧାୟକ ଯେଉଁମାନଙ୍କ ନାମ କ୍ୟାବିନେଟ ବିସ୍ତାର ପୂର୍ବରୁ ଚର୍ଚ୍ଚାରେ ଥିଲା।
ପାର୍ଟି ଭାଙ୍ଗିବେ ନାହିଁ ବୋଲି ନିଷ୍ପତ୍ତି
କୈସର ଜମସେଦଙ୍କ ଘନିଷ୍ଠ ସୂତ୍ର ଅନୁସାରେ, ବୈଠକରେ ସାଂଗଠନିକ ଏବଂ ରାଜନୈତିକ ପ୍ରସଙ୍ଗ ଉପରେ ଚର୍ଚ୍ଚା ହୋଇଛି ଏବଂ ମିଳିମିଶି ରଣନୀତି ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ହୋଇଛି। ସର୍ବସମ୍ମତି କ୍ରମେ ସ୍ଥିର ହୋଇଛି ଯେ, କେହି ବିଧାୟକ ପାର୍ଟି ଛାଡିବେ ନାହିଁ କି ପାର୍ଟି ଭାଙ୍ଗିବାକୁ ଚେଷ୍ଟା କରିବେ ନାହିଁ।
ବିଧାୟକମାନେ ନଜୀର ଅହମ୍ମଦ ଗୁରେଜୀଙ୍କ ନେତୃତ୍ୱରେ ୪ ଜଣିଆ ପ୍ରତିନିଧି ଦଳ ଗଠନ କରି NC ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା ଏବଂ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲାଙ୍କୁ ଏକ ସ୍ମାରକପତ୍ର ଦେବେ।
ଦାବି କ’ଣ?
୨ ବର୍ଷରୁ ଅଧିକ ସମୟ ଧରି ମନ୍ତ୍ରୀ ଥିବା ନେତାଙ୍କୁ ହଟାଇବାକୁ ଦାବି କରାଯିବ। ଏହା ସହ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା ନାସିର ସୋଗମୀଙ୍କ ଭୂମିକାକୁ ନେଇ ମଧ୍ୟ ଅସନ୍ତୋଷ ରହିଛି। ବିଧାୟକମାନେ ତାଙ୍କ ଉପରେ ପାର୍ଟି ନେତୃତ୍ୱକୁ ବିଭ୍ରାନ୍ତ କରିବା ଏବଂ ସାଂଗଠନିକ କାର୍ଯ୍ୟରେ ହସ୍ତକ୍ଷେପ ଅଭିଯୋଗ ଆଣି ତାଙ୍କ ଇସ୍ତଫା ଏବଂ ପଦରୁ ହଟାଇବାକୁ ଦାବି କରିବେ ବୋଲି ସୂଚନା ମିଳିଛି।


