ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ପାଗରେ ପରିବର୍ତ୍ତନ ଆସିବା ସହ ବର୍ଷାର ପରିମାଣ କମିବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଆଜିଠାରୁ ଅଧିକାଂଶ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ତେବେ ଉତ୍ତର ଓ ଦକ୍ଷିଣ ଓଡ଼ିଶା ସମେତ ଉପକୂଳବର୍ତ୍ତୀ କେତେକ ଅଞ୍ଚଳରେ କାଁଭାଁ ବିକ୍ଷିପ୍ତ ବର୍ଷା ହୋଇପାରେ।
ଗତ କିଛି ଦିନର ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ ତଳିଆ ଅଞ୍ଚଳଗୁଡ଼ିକ ଜଳବନ୍ଦୀ ହୋଇପଡ଼ିଥିଲା। ତେବେ ଶନିବାରଠାରୁ ବିଭିନ୍ନ ସ୍ଥାନରୁ ଜଳସ୍ତର କମିବାରେ ଲାଗିଛି। ରେକର୍ଡ ଅନୁସାରେ, ଗତ ୨୪ ଘଣ୍ଟାରେ ମାଲକାନଗିରିରେ ୧୪୨ ମିଲିମିଟର ଏବଂ ନୂଆପଡ଼ାରେ ୭୯ ମିଲିମିଟର ବର୍ଷା ହୋଇଛି। ଶନିବାର ନୂଆପଡ଼ାରେ ୨୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆସନ୍ତା ୧୪ ତାରିଖରେ ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ ଏବଂ ଗଜପତି ଜିଲ୍ଲାର କେତେକ ସ୍ଥାନରେ ବିକ୍ଷିପ୍ତ ବର୍ଷା ହେବାର ସମ୍ଭାବନା ରହିଛି।


