ରାଉରକେଲା: ରାତିର ନିରବତା ଭିତରେ ହଠାତ୍ ଘରୁ ଉଠିଲା ନିଆଁ। ପଡ଼ୋଶୀଙ୍କ ଚିତ୍କାରରେ ଚାରିଆଡ଼େ ହୋଇଥିଲା ହଇଚଇ। ହେଲେ ସେତେବେଳକୁ ଘର ଭିତରେ ଶୋଇଥିବା ବ୍ୟକ୍ତିଙ୍କ ପାଇଁ ଆଉ କିଛି କରିବାର ନଥିଲା। ବନ୍ଦ ଘର ଭିତରେ ନିଆଁରେ ପୋଡ଼ି ହୋଇ ଚାଲିଗଲା ଜୀବନ। ଅଗ୍ନିକାଣ୍ଡରେ ଜଣେ ୫୮ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ତାଙ୍କ ପୁଅ।
ଗତକାଲି ବିଳମ୍ବିତ ରାତିରେ ରେଲୱେ କଲୋନୀ ମଧୁସୂଦନପାଲିରେ ଘଟିଛି ଏହି ଅଘଟଣ। ମୃତକ ହେଲେ ଜିତେନ୍ଦ୍ର ସାହା (୫୮)। ତାଙ୍କ ପୁଅ ରୋହିତ ସାହା ପାଖ ଘରେ ଶୋଇଥିବାରୁ ନିଶ୍ଚିତ ବିପଦରୁ ବର୍ତ୍ତି ଯାଇଛନ୍ତି।
ସୂଚନା ଅନୁସାରେ, ଜିତେନ୍ଦ୍ର ସାହା ମଧୁସୂଦନପାଲିରେ ପତ୍ନୀ ଓ ପୁଅ ରୋହିତଙ୍କ ସହ ରହୁଥିଲେ। କିଛିଦିନ ଧରି ପତ୍ନୀଙ୍କ ଦେହ ଭଲ ନଥିବାରୁ ସେ ଝିଅ ଘରକୁ ଯାଇଥିଲେ। ଫଳରେ ଘରେ ଜିତେନ୍ଦ୍ର ଓ ତାଙ୍କ ପୁଅ ରୋହିତ ରହୁଥିଲେ।
ଗତକାଲି ରାତିରେ ଖାଇସାରିବା ପରେ ଉଭୟ ନିଜ ନିଜ ଘରେ ଶୋଇବାକୁ ଯାଇଥିଲେ। ଜିତେନ୍ଦ୍ର ଗୋଟିଏ ଘରେ ଶୋଇଥିବା ବେଳେ ପୁଅ ରୋହିତ ଅନ୍ୟ ଏକ ଘରେ ଶୋଇଥିଲେ। କିନ୍ତୁ ରାତି ପ୍ରାୟ ଦେଢ଼ଟା ପରେ ହଠାତ୍ ଜିତେନ୍ଦ୍ର ଶୋଇଥିବା ଘରୁ ନିଆଁ ଜଳୁଥିବା ଦେଖିବାକୁ ମିଳିଥିଲା।
ଘରୁ ନିଆଁ ବାହାରୁଥିବା ଦେଖି ପଡ଼ୋଶୀମାନେ ତୁରନ୍ତ ପାଟି କରିଥିଲେ। ଅଗ୍ନିଶମ ବିଭାଗକୁ ଖବର ଦେବା ସହ ନିଆଁ ଲିଭାଇବା ଏବଂ ଘର ଭିତରେ ଥିବା ଜିତେନ୍ଦ୍ରଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ।
କିନ୍ତୁ ଘରର କବାଟ ଭିତର ପଟୁ ବନ୍ଦ ଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ଅଗ୍ନିଶମ ଗାଡ଼ି ପହଞ୍ଚିବା ପୂର୍ବରୁ ହିଁ ଜିତେନ୍ଦ୍ର ନିଆଁରେ ପୋଡ଼ି ଯାଇଥିଲେ। ଘର ଭିତରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘରେ କେଉଁ କାରଣରୁ ନିଆଁ ଲାଗିଲା, ତାହା ଜାଣିବାକୁ ପୁଲିସ ତଦନ୍ତ ଆରମ୍ଭ କରିଛି।
ପ୍ଲାଣ୍ଟସାଇଟ୍ ପୁଲିସ ଘଟଣାସ୍ଥଳରୁ ମୃତଦେହ ଜବତ କରି ରାଉରକେଲା ସରକାରୀ ହସ୍ପିଟାଲ୍ (ଆରଜିଏଚ୍)କୁ ପଠାଇଛି। ଏନେଇ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବାବେଳେ ଅଗ୍ନିକାଣ୍ଡର କାରଣ ନେଇ ତଦନ୍ତ ଜାରି ରହିଛି।
ଗୋଟିଏ ରାତିରେ ଘଟିଥିବା ଏହି ଅଗ୍ନିକାଣ୍ଡ ଜିତେନ୍ଦ୍ରଙ୍କ ପରିବାରକୁ ଶୋକରେ ବୁଡ଼ାଇ ଦେଇଛି। ବାପାଙ୍କୁ ବଞ୍ଚାଇବା ପାଇଁ ପଡ଼ୋଶୀଙ୍କ ଉଦ୍ୟମ ସତ୍ତ୍ୱେ ବନ୍ଦ ଘର ଭିତରୁ ତାଙ୍କୁ ସମୟରେ ବାହାର କରାଯାଇ ନପାରିବା ଘଟଣାକୁ ଆହୁରି ଦୁଃଖଦ କରିଦେଇଛି।


