ନୂଆଦିଲ୍ଲୀ:ବ୍ରିକ୍ସ ଶିଖର ସମ୍ମିଳନୀ ପରେ ଭାରତ-ଚୀନ୍ ସୀମାରୁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର। ପ୍ରକୃତ ନିୟନ୍ତ୍ରଣ ରେଖା (LAC) ନିକଟରେ ଦୁଇ ଦେଶ ମଧ୍ୟରେ ଦୀର୍ଘଦିନ ଧରି ଲାଗି ରହିଥିବା ସାମରିକ ଉତ୍ତେଜନା ଧୀରେ ଧୀରେ କମୁଥିବା ସଙ୍କେତ ମିଳିଛି। ଭାରତର ଉତ୍ତର ସୀମା ନିକଟରେ ଚୀନ୍ର ପିପୁଲ୍ସ ଲିବରେସନ୍ ଆର୍ମି (PLA)ର ମୁତୟନରେ ହ୍ରାସ ଘଟିଥିବା ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ସଦ୍ୟ ରିପୋର୍ଟରୁ ସୂଚନା ମିଳିଛି।
୨୦୨୦ ମସିହାରୁ ପୂର୍ବ ଲଦାଖରେ ଭାରତ ଓ ଚୀନ୍ ସୈନ୍ୟଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଥିଲା। ଏହା ପରେ ଦୁଇ ଦେଶ ମଧ୍ୟରେ ଏକାଧିକ ପର୍ଯ୍ୟାୟର ସାମରିକ ଓ କୂଟନୈତିକ ଆଲୋଚନା ହୋଇଛି। ୨୦୨୪ରେ କିଛି ସୀମା ଅଞ୍ଚଳରେ ଡିସେଙ୍ଗେଜମେଣ୍ଟ ପ୍ରକ୍ରିୟା ଆଗକୁ ବଢ଼ିଥିବା ବେଳେ ଏବେ ଚୀନ୍ ସେନାର ମୁତୟନ ହ୍ରାସକୁ ଡି-ଏସ୍କେଲେଶନ୍ର ପରବର୍ତ୍ତୀ ପର୍ଯ୍ୟାୟ ଭାବେ ଦେଖାଯାଉଛି।
ପ୍ରତିରକ୍ଷା ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, LAC ନିକଟ ଚୀନ୍ ଅଞ୍ଚଳ ଏବଂ ସାମରିକ ତାଲିମ କ୍ଷେତ୍ରରେ ୧୦ଟି PLA ମିଳିତ ଅସ୍ତ୍ରଶସ୍ତ୍ର ବ୍ରିଗେଡ୍ ମୁତୟନ ରହିଛି। ଏହି ରିପୋର୍ଟକୁ ଆଧାର କରି ସୀମାରେ ଚୀନ୍ର ସାମରିକ ଉପସ୍ଥିତିରେ କିଛିଟା ହ୍ରାସ ଘଟିଥିବା ଆକଳନ କରାଯାଉଛି।
ଏହା ସହିତ ଭାରତ ଓ ଚୀନ୍ ମଧ୍ୟରେ ବିଶେଷ ପ୍ରତିନିଧି (Special Representatives) ସ୍ତରୀୟ ଆଲୋଚନା ମଧ୍ୟ ପୁଣି ଆରମ୍ଭ ହୋଇଛି। ଡିସେମ୍ବର ୨୦୨୪ ଓ ଅଗଷ୍ଟ ୨୦୨୫ରେ ଏହି ଆଲୋଚନାର ଦୁଇଟି ପର୍ଯ୍ୟାୟ ହୋଇଥିଲା। ସୀମା ବିବାଦର ଦୀର୍ଘକାଳୀନ ସମାଧାନ ସହ ଦୁଇ ଦେଶ ମଧ୍ୟରେ ସ୍ଥିରତା ଫେରାଇ ଆଣିବା ଉପରେ ଏହି ଆଲୋଚନାରେ ଗୁରୁତ୍ୱ ଦିଆଯାଇଛି।
୨୦୨୫ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ୍ର ତିଆନଜିନ୍ ଗସ୍ତ କରି SCO ଶିଖର ସମ୍ମିଳନୀରେ ଯୋଗଦେଇଥିଲେ। ଏହି ସମୟରେ ଭାରତ-ଚୀନ୍ ସମ୍ପର୍କର ବିଭିନ୍ନ ଦିଗ ନେଇ ଆଲୋଚନା ହୋଇଥିଲା। ଏବେ LAC ନିକଟରେ ଚୀନ୍ ସେନାର ମୁତୟନ ହ୍ରାସର ଖବର ସୀମାରେ ଉତ୍ତେଜନା କମାଇବା ଦିଗରେ ଏକ ନୂଆ ସଙ୍କେତ ବୋଲି ଦେଖାଯାଉଛି।


