ମୁମ୍ବାଇ: ବଲିଉଡ୍ ଅଭିନେତା ସ୍ୱର୍ଗତ ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନ୍ଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ସିବିଆଇ ଆନୁଷ୍ଠାନିକ ଭାବେ ଏଫଆଇଆର୍ ରୁଜୁ କରିଛି। ଏହି ହାଇପ୍ରୋଫାଇଲ୍ କେସ୍ରେ ରାଜନେତା, ବଲିଉଡ୍ କଳାକାର, ପୋଲିସ ଅଧିକାରୀ ଓ ଡାକ୍ତରଙ୍କ ସମେତ ଅନେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାଁ ସାମିଲ ରହିଛି।
ସିବିଆଇ ଏଫଆଇଆରରେ ଶିବସେନା ନେତା ଆଦିତ୍ୟ ଠାକରେ, ଅଭିନେତା ଡିନୋ ମୋରିଆ, ସୁରଜ ପାଞ୍ଚୋଲି, ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତୀ, ଦିଶାଙ୍କ ସାଥୀ ରୋହନ ରାୟ ଏବଂ ଆଦିତ୍ୟଙ୍କ ସୁରକ୍ଷାକର୍ମୀଙ୍କ ନାଁ ରହିଛି। ତଦନ୍ତକୁ ଚପାଇ ଦେବା ଏବଂ ସରକାରୀ କଳର ଅପବ୍ୟବହାର ଅଭିଯୋଗରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଭୂମିକା ପ୍ରତି ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରାଯାଇଛି। ଏହାଛଡ଼ା ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହ, ମାଲଭାନି ଥାନାର ତଦନ୍ତକାରୀ ଅଧିକାରୀ, ପୋଷ୍ଟମର୍ଟମ କରିଥିବା ଡାକ୍ତର, ଏଫଏସଏଲ୍ କର୍ମଚାରୀ ଓ ଆପାର୍ଟମେଣ୍ଟର ସୁରକ୍ଷାକର୍ମୀଙ୍କୁ ମଧ୍ୟ ଏହି ମାମଲାରେ ଅଭିଯୁକ୍ତ କରାଯାଇଛି।
ସିବିଆଇ ପକ୍ଷରୁ ଆଇପିସି ଧାରା ୩୦୨ (ହତ୍ୟା), ୩୭୬ଡି (ଗଣଦୁଷ୍କର୍ମ), ୧୨୦ବି (ଅପରାଧିକ ଷଡ଼ଯନ୍ତ୍ର), ୨୦୧ (ପ୍ରମାଣ ନଷ୍ଟ) ଏବଂ ୧୭୭/୧୮୨ (ମିଥ୍ୟା ସୂଚନା ପ୍ରଦାନ) ଭଳି କଠୋର ଧାରା ଲଗାଯାଇଛି। ସୂଚନାଯୋଗ୍ୟ, ୮ ଜୁନ୍ ୨୦୨୦ରେ ୨୮ ବର୍ଷୀୟା ଦିଶା ମାଲାଡ୍ସ୍ଥିତ ଏକ ଆପାର୍ଟମେଣ୍ଟରୁ ଖସିପଡ଼ି ପ୍ରାଣ ହରାଇଥିଲେ, ଯାହାକୁ ମୁମ୍ବାଇ ପୋଲିସ କେବଳ ଅପମୃତ୍ୟୁ ମାମଲା (ଏଡିଆର) ଭାବେ ରଖିଥିଲା। ଏହାର ଠିକ୍ ୬ ଦିନ ପରେ, ୧୪ ଜୁନ୍ରେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତଦେହ ତାଙ୍କ ବାସଭବନରୁ ମିଳିଥିଲା। ଉଭୟ ମୃତ୍ୟୁ ମଧ୍ୟରେ ଗଭୀର ଲିଙ୍କ୍ ଥିବା ସନ୍ଦେହ କରି ଦିଶାଙ୍କ ପରିବାର କୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ କୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।


