ଚଣ୍ଡୀଗଡ଼: ଆଗାମୀ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଶାସକ ଆମ୍ ଆଦମୀ ପାର୍ଟି (ଆପ୍) ଏହାର ୪୦ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ସବୁଠୁ ବଡ଼ କଥା ହେଉଛି ନିର୍ବାଚନ ତାରିଖ ଘୋଷଣା ହେବାର ପ୍ରାୟ ଚାରି ମାସ ପୂର୍ବରୁ ଏହି ତାଲିକା ଜାରି କରାଯାଇଛି। ମାଲୱା, ମାଝା ଏବଂ ଦୋଆବା ଅଞ୍ଚଳରେ ତୃଣମୂଳ ସ୍ତରରେ ସଂଗଠନ ମଜଭୁତ୍ କରିବା ଲାଗି ପ୍ରାର୍ଥୀମାନଙ୍କୁ ପର୍ଯ୍ୟାପ୍ତ ସମୟ ଦେବା ଏହି ରଣନୀତିର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆପ୍ କହିଛି। ସେହିପରି ପ୍ରାର୍ଥୀ ତାଲିକା ଜାରି କରାଯିବା କ୍ଷେତ୍ରରେ ଆଉ ଏକ ବଡ଼ ସୂଚନା ହେଉଛି, ଆପ୍ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ପରୀକ୍ଷାନିରୀକ୍ଷା କରିବାକୁ ସାହସ ଦେଖାଇନାହିଁ, ବରଂ ଦଳ ପୂର୍ବର ସେହି ପୁରୁଣା ଚେହେରା ଅର୍ଥାତ୍ ଦଳର ୪୦ ଜଣ ଯାକ ବିଧାୟକଙ୍କୁ ଟିକେଟ୍ ଦେଇଛି। ସିଧାସଳଖ କହିଲେ ପ୍ରଥମ ପର୍ଯ୍ୟାୟରେ ଘୋଷଣା ହୋଇଥିବା ସମସ୍ତ ୪୦ ଜଣ ପ୍ରାର୍ଥୀ ହେଉଛନ୍ତି ବର୍ତ୍ତମାନର ବିଧାୟକ। ଆପ୍ର ରାଜନୈତିକ ବ୍ୟାପାର କମିଟି (ପିଏସି) ବୈଠକ ପରେ ଏହି ତାଲିକାକୁ ଆନୁଷ୍ଠାନିକ ଭାବେ ଅନୁମୋଦନ ଦିଆଯାଇଛି।
ରିପୋର୍ଟ ଅନୁସାରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ନିଜ ନିର୍ବାଚନ ମଣ୍ଡଳୀ ‘ଧୁରୀ’ରୁ ପୁଣି ଥରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ୨୦୨୨ରେ ମାନ ଏହି ଆସନରୁ ୫୮,୦୦୦ରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ସେହିପରି ପୂର୍ବ ନିର୍ବାଚନରେ ବିଜୟୀ ହୋଇଥିବା ଏକାଧିକ ଆପ୍ ବିଧାୟକ ଏବେ ଜେଲରେ ଥିବା ସତ୍ତ୍ୱେ ସେମାନଙ୍କୁ ପୁଣିଥରେ ଟିକେଟ୍ ଦିଆଯାଇଛି। ଉଦାହରଣ ସ୍ୱରୂପ ବର୍ତ୍ତମାନ ଜେଲରେ ଥିବା ସତ୍ତ୍ୱେ ଦଳ ଲୁଧିଆନା ପଶ୍ଚିମରୁ ବିଧାୟକ ସଞ୍ଜୀବ ଆରୋରାଙ୍କୁ ପୁଣି ଥରେ ପ୍ରାର୍ଥୀ କରିଛି। ବ୍ୟାପକ ଜନମତ ସର୍ବେକ୍ଷଣ ଏବଂ ନିର୍ବାଚନ ମଣ୍ଡଳୀ ସ୍ତରରେ ବିଧାୟକଙ୍କ କାର୍ଯ୍ୟଦକ୍ଷତା ସମୀକ୍ଷା ଆଧାରରେ ପ୍ରାର୍ଥୀ ଚୟନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମାନ ପ୍ରକାଶ କରିଛନ୍ତି। ନିର୍ବାଚନ ପ୍ରଚାର ଜୋର ଧରିବା ପୂର୍ବରୁ ବିରୋଧୀ ଦଳଙ୍କୁ ଚାପରେ ରଖିବା ଏବଂ ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ ସମୟ ପାଇବା ଲାଗି ଏହି ଆଗୁଆ ଘୋଷଣା କରାଯାଇଥିବା ଦଳୀୟ ରଣନୀତିକାରମାନେ କହିଛନ୍ତି। ୧୧୭ ସଦସ୍ୟ ବିଶିଷ୍ଟ ବିଧାନସଭାର ପ୍ରାୟ ୩୪% ଆସନ ପାଇଁ ଏହି ପ୍ରଥମ ତାଲିକା ଆସିଥିବା ବେଳେ ଆସନ୍ତା ସପ୍ତାହରେ ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କରାଯିବ ବୋଲି ଆପ୍ ନେତୃତ୍ୱ ସୂଚନା ଦେଇଛନ୍ତି।


