ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀର ବହୁ ପୂର୍ବରୁ ଉତ୍କଳୀୟମାନେ ଜଳଯାତ୍ରାରେ ନିପୁଣ ଥିଲେ। ପୁରାତନ କାଳରେ ଉପକୂଳରେ ଗଢ଼ି ଉଠିଥିବା ନୌଘାଟି ଓ ବନ୍ଦର ମଧ୍ୟରୁ ଧାମରା, ଚାନ୍ଦବାଲି, ରିଘାଗଡ଼, ଜମ୍ବୁ ମାଈପୁରା, ବାଲିଆପାଳ, ପାଲମିରା, ସାତଭାୟା, ହଂସୁଆ, ନରେନ୍ଦ୍ରପୁର, ମହୁରୀଗାଁ ଓ କନିକା ଦ୍ୱୀପ କନିକା ରାଜ୍ୟରେ ଅନ୍ତର୍ଭୁକ୍ତ ଥିଲା। କନିକାର ସାଧବମାନେ ନୌବାଣିଜ୍ୟରେ ସୁଦକ୍ଷ ଥିଲେ। କିମ୍ବଦନ୍ତୀରୁ ଜଣାଯାଏ, ସମ୍ରାଟ ଖାରବେଳଙ୍କ ସମୟରୁ ଏହି ଅଞ୍ଚଳରୁ ସାଧବ ପୁଅ ଜାଭା, ବାଲି, ସୁମାତ୍ରା ଓ ନ ସିଂହଳ ପ୍ରଭୃତି ଦ୍ୱୀପକୁ ବଣିଜ ନିମନ୍ତେ ଯାଉଥିଲେ। ପୂର୍ବେ ସମୁଦ୍ର ମଧ୍ୟସ୍ଥ ଦ୍ୱୀପ ସମୂହରୁ ମୁକ୍ତା, ପ୍ରବାଳ ଆଦି କନିକାକୁ ଆମଦାନି ହେଉଥିଲା । କବିବର ରାଧାନାଥ ରାୟଙ୍କ କାବ୍ୟକବିତାରେ ଏ ସମ୍ପର୍କରେ ତଥ୍ୟ ମିଳେ। ବହିଃଶତ୍ରୁ ସମୁଦ୍ର ପଥରେ ରାଜ୍ୟ ଭିତରକୁ ପ୍ରବେଶ କରିନପାରିବା ପାଇଁ କନିକାର ନୌସେନା, ଧାମରା ମୁହାଣଠାରୁ ବରୁଣେଇ ମୁହାଣ ପର୍ଯ୍ୟନ୍ତ ଜଗାରଖା କରୁଥିଲେ। ପୂର୍ବେ ଓଡ଼ିଶା ଉପକୂଳରେ ସର୍ବପ୍ରଧାନ ନୌଶକ୍ତି ଥିଲା କନିକା। କନିକାର ରାଜା କଳିଙ୍ଗ ନୌବାହିନୀର ପ୍ରମୁଖ ଥିଲେ ଏବଂ ଓଡ଼ିଶାର ଗଜପତିଙ୍କଠାରୁ ‘ମୁହାଣ ଚୌକିୟା’ ଉପାଧି ପାଇଥିଲେ। କନିକାର ନାବିକ ଓ ସାଧବମାନେ ସାମୁଦ୍ରିକ ବାଣିଜ୍ୟରେ ଅଖଣ୍ଡ ଆଧିପତ୍ୟ ବିସ୍ତାର କରିଥିଲେ। ଜଳଦସ୍ୟୁଙ୍କ ଆକ୍ରମଣକୁ ପ୍ରତିହତ କରି ସାଧବମାନଙ୍କୁ ସମୁଦ୍ର ମଧ୍ୟରେ ନିରାପତ୍ତା ଯୋଗାଇ ଦେଉଥିଲେ । କନିକାର ବିଭିନ୍ନ ମୁହାଣ ଓ ବନ୍ଦର ନିକଟବର୍ତ୍ତୀ ଅଞ୍ଚଳରେ ପୂଜା ପାଇ ଆସୁଛନ୍ତି ବିଭିନ୍ନ ଦେବୀ। ସାଧବମାନେ ବୋଇତ ବଣିଜକୁ ଯିବା ପୂର୍ବରୁ ମା’ ମଙ୍ଗଳାଙ୍କୁ ଭୋଗ ମନାସୁଥିଲେ। ପାଟଣମଙ୍ଗଳା, ଡାକେଶ୍ୱରୀ, ଧାମରାଈ, ମାଟିଆ ମଙ୍ଗଳା, ମା’ପଞ୍ଚୁବରାହୀ, ମା’ ଦକ୍ଷିଣ କାଳୀ ପ୍ରଭୃତି ଏହି ନୌବାଣିଜ୍ୟ ସଂସ୍କୃତି ସହ ଜଡ଼ିତ । କନିକାର ଦେବୀପୀଠରେ ନୌକାର ମଙ୍ଗ ପୂଜା ପାଉଛନ୍ତି।
ରିଘାଗଡ଼ର ଝିଅ ତଅପୋଇ
ରିଘାଗଡ଼ରେ ରହିଛି ଶ୍ରୀ ଜଗନ୍ନାଥ ମନ୍ଦିର, ଆଖଣ୍ଡେଶ୍ୱର ମନ୍ଦିର, ଅଷ୍ଟଶମ୍ଭୁ ଶିବଲିଙ୍ଗ ଏବଂ ଭଗ୍ନ କନିକା ରାଜପ୍ରାସାଦ । ସବୁଠୁ ଗୁରୁତ୍ୱ ବହନ କରେ ଏଇ ଗାଁର ସାଧବ ଝିଅ ତଅପୋଇ। ତନୟବନ୍ତ ନାମରେ ଜଣେ ଧନୀ ସୌଦାଗର ଏଇ ରିଘାଗଡ଼ରେ ବାସ କରୁଥିଲେ। ତାଙ୍କର ଅନେକ ବୋଇତ ଥିଲା ଏବଂ ସେ ପ୍ରତିବର୍ଷ ନୌବାଣିଜ୍ୟରେ ଦୂର ବିଦେଶକୁ ଯାଉଥିଲେ। ତାଙ୍କର ସାତ ପୁଅ ଥିଲେ। ସେମାନେ ମଧ୍ୟ ନୌବାଣିଜ୍ୟରେ ଅତି ନିପୁଣ ଥିଲେ। ସାତ ପୁଅଙ୍କର ପିତା ହେଲେ ମଧ୍ୟ କନ୍ୟାଟିଏ ନ ଥିବାରୁ ଅସୁଖୀ ଥିଲେ ତନୟବନ୍ତ । କନ୍ୟା ରତ୍ନ ପାଇଁ ମନ ବଳାଇ ଉଭୟ ସୌଦାଗର ଦମ୍ପତି ମା’ମଙ୍ଗଳାଙ୍କୁ ଭକ୍ତିପୂତ ଚିତ୍ତରେ ପୂଜାର୍ଚ୍ଚନା କରୁଥିଲେ। ତାଙ୍କର ଭକ୍ତି ଓ ତପରେ ପ୍ରୀତ ହୋଇ ମା’ମଙ୍ଗଳା ତାଙ୍କ କୋଳରେ କନ୍ୟା ସନ୍ତାନଟିଏ ଦେଇଥିଲେ । ତପ ବଳରେ ପାଇଥିବାରୁ ଆଦରରେ ପିତାମାତା କନ୍ୟାଟିର ନାଁ ରଖୁଥିଲେ ‘ତଅପୋଇ’। ବାଲ୍ୟକାଳରୁ ଅତି ଗେଲବସରରେ ବଢ଼ୁଥିଲା ତଅପୋଇ। ସୁନାରେ ତା’ପାଇଁ ଚାନ୍ଦଟିଏ ଗଢ଼ିଦେବାକୁ ପିତାଙ୍କ ନିକଟରେ ଅଳି କରିଥିଲା। ମାତ୍ର ଅଧା ବାନ୍ଦରେ ପିତା ଏବଂ ପୂରା ଚାନ୍ଦରେ ମାତାଙ୍କର ବିୟୋଗ ଫଳରେ ତଅପୋଇ ଜୀବନରେ ଦୁଃଖ ଯନ୍ତ୍ରଣାର ଝଡ଼ ଘୋଟି ଆସିଥିଲା। କୁଳ ବେଉସା ଦୃଷ୍ଟିରୁ ସାତଭାଇ ସାତ ବୋଇତ ଧରି ଦୂର ଦେଶକୁ ବଣିଜ କରିବା ପାଇଁ ଯିବା ପରେ ଅଲିଅଳି ତଅପୋଇ ଜୀବନରେ ଦୁଃଖର ପାହାଡ଼ ଲଦି ହୋଇଯାଏ। ଭାଉଜମାନଙ୍କର ସ୍ନେହ, ଶ୍ରଦ୍ଧା, ଆଦର, ଯତ୍ନ ସମୟକ୍ରମେ ଘୃଣା ଏବଂ କ୍ରୋଧରେ ବଦଳିଯାଏ। କେବଳ ସାନଭାଉଜଙ୍କ ସ୍ନେହରେ ବଞ୍ଚି ରହିଥିଲା ତଅପୋଇ। ବଡ଼ଭାଉଜମାନେ ତାକୁ ଛେଳି ଜଗାଇଲେ। ମାତ୍ର ବଡ଼ଭାଉଜଙ୍କ ପ୍ରିୟ ଛେଳି ଘରମଣି ହଜିଯିବାରୁ ତାକୁ ଘରୁ ତଡ଼ି ଦିଆଗଲା।
ଝଡ଼ତୋଫାନ ରାତିରେ ଅନ୍ଧାର ଅରଣ୍ୟ ମଧ୍ୟରେ ଘରମଣିକୁ ଖୋଜିଖୋଜି ନପାଇ ବାଟ ବଣା ହୋଇ ଅତି ବିକଳରେ କ୍ରନ୍ଦନ କରୁଥିଲା ତଅପୋଇ। ସଂଯୋଗକ୍ରମେ ସାତଭାଇ ଧାମରା ମୁହାଣରୁ ପଥଭ୍ରଷ୍ଟ ହୋଇ ଜଳଦସ୍ୟୁଙ୍କ କବଳରୁ ବଞ୍ଚିବା ପାଇଁ ସାତଭାଇଆ ସମୁଦ୍ର ବେଳାରେ ବୋଇତ ଲଗାଇ ଦେଇଥିଲେ। ସେତେବେଳେ ଭିତରକନିକା ଥିଲା ଭଞ୍ଜ ବଂଶୀ ରାଜାଙ୍କ ଅଧୀନରେ ଥିବା ପଞ୍ଚୁ ବରାହୀ ପୀଠ ଠାରୁ ଦକ୍ଷିଣକୁ କଳଦୀପଗଡ଼ ପର୍ଯ୍ୟନ୍ତ ପରିବ୍ୟାପ୍ତ। ଏହି ଗଡ଼ର ରାଜକୁମାର ଅମର ପ୍ରସାଦଙ୍କ ସାହାଯ୍ୟ ଓ ସହଯୋଗରେ ଉଦ୍ଧାର ପାଇଥିଲେ ସାଧବ ସାତଭାଇ। ତଅପୋଈର କରୁଣକ୍ରନ୍ଦନ ତାଙ୍କ କାନରେ ପଡ଼ିଥିଲା। ବଡ଼ଭାଇଳ ନିର୍ଦେଶରେ ମଶାଲ ଜାଳି ଜଙ୍ଗଲରେ ଖୋଜି ଖୋଜି ତାଙ୍କର ଅତି ଅଲିଅଳ ଭଉଣୀ ତଅପୋଇକୁ ପାଇଥିଲେ। ଭାଇମାନଙ୍କ ଶୁଭ ପ୍ରତ୍ୟାବର୍ତ୍ତନ ପାଇଁ ମା’ମଙ୍ଗଳାଙ୍କ ନିକଟରେ ମାନସିକ କରି ତଅପୋଇ ପୂଜାର୍ଚ୍ଚନା କରୁଥିଲା। ସାନ ଭାଉଜ ଦେଇଥିବା ଖୁଦକୁ ଭକ୍ତିରେ ମା’ମଙ୍ଗଳାଙ୍କୁ ନୈବେଦ୍ୟ ରୂପେ ଅର୍ପଣ କରିଥିଲା। ମା’ମଙ୍ଗଳା ତଅପୋଇର ଭକ୍ତିରେ ତା’ର ଖୁଦକୁ ରଙ୍କୁଣୀ ପରି ଚାହିଁ ରହୁଥିଲେ। ଆଜି ବି ମା’ ମଙ୍ଗଳାଙ୍କୁ କୁମାରୀମାନେ ନିଜର ପ୍ରିୟ ଭାଇମାନଙ୍କ ଶୁଭ କାମନା କରି ଖୁଦୁରୁକୁଣୀ ବା ଖୁଦରଙ୍କୁଣୀ ରୂପରେ ପୂଜା କରିଥାନ୍ତି। ମା’ମଙ୍ଗଳାଙ୍କ ଆଶୀର୍ବାଦରେ ତଅପୋଇ ସହ ସାତ ଭାଇଙ୍କର ମିଳନ ହୁଏ। ତଅପୋଇର ଦୁଃଖ ଦୂର ହୁଏ।
ତଅପୋଇ ଯେଉଁ ମଙ୍ଗଳାଙ୍କୁ ପୂଜା କରୁଥିଲେ, ସେ ଥିଲେ ରାଜନଗରର ବାରଗାଁର ମାଟିଆ ମଙ୍ଗଳା ଏବଂ ଭିତରକନିକା, ଡ଼ାଙ୍ଗମାଳର ଜୟଦୁର୍ଗା। ତଅପୋଇଙ୍କୁ ଭାଇମାନେ ଯେଉଁଠି ଠାବ କରିଥିଲେ, ସେ ସ୍ଥାନ ଆଜି ‘ସାତଭାୟା’ ନାମରେ ପରିଚିତ। ତଅପୋଇ ଆଖ୍ୟାନରେ ବର୍ଣ୍ଣିତ ସମୁଦ୍ର, ଦ୍ୱୀପ, ଜଙ୍ଗଲ, ଜନପଦର ଭୌଗୋଳିକ ଭିତ୍ତିଭୂମି ସହ ଏହି ଅଞ୍ଚଳର ସାମଞ୍ଜସ୍ୟ ରହିଛି। ଏପରି ସାମଞ୍ଜସ୍ୟ ଥିବା ଓଡ଼ିଶା ଉପକୂଳର ଅନ୍ୟ କୌଣସି ସ୍ଥାନ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ । ରିଘାଗଡ଼ ଓ ସାତଭାୟା ଅଞ୍ଚଳ ହିଁ ଲୋକବିଶ୍ୱାସରେ ଏ ଯାଏଁ ତଅପୋଈର ଅଞ୍ଚଳ ଭାବେ ଖ୍ୟାତ ହୋଇ ଆସିଛି।


