ବୈଶିଙ୍ଗା: ପୋଖରୀକୁ ଗାଧୋଇବାକୁ ଯାଇ ଆଉ ଘରକୁ ଫେରିଲେ ନାହିଁ ଯୁବକ। ଦୀର୍ଘ ସମୟ ଧରି ତାଙ୍କର କୌଣସି ଖୋଜଖବର ନ ମିଳିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଶେଷରେ ଆଜି ସକାଳେ ପୋଖରୀରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଧୀନ କଇଁଫୁଲିଆ ଗ୍ରାମରେ ଘଟିଛି ଏଭଳି ଦୁଃଖଦ ଘଟଣା। ମୃତକ ଜଣକ ହେଲେ କଇଁଫୁଲିଆ ଗ୍ରାମର ପରେଶ ମହାନ୍ତଙ୍କ ୩୨ ବର୍ଷୀୟ ପୁଅ ସଞ୍ଜୟ ମହାନ୍ତ।
ସୂଚନା ଅନୁସାରେ, ସୋମବାର କାମ ସାରି ସଞ୍ଜୟ ଘରକୁ ଫେରିଥିଲେ। ଏହାପରେ ସେ ଘର ନିକଟସ୍ଥ ଏକ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ତେବେ ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ସଞ୍ଜୟ ଘରକୁ ଫେରିନଥିଲେ।
ଏଥିରେ ପରିବାର ଲୋକେ ଚିନ୍ତିତ ହୋଇ ତାଙ୍କୁ ଖୋଜିବା ଆରମ୍ଭ କରିଥିଲେ। ପୋଖରୀରେ ବୁଡ଼ିଯାଇଥିବା ସନ୍ଦେହ ହେବାରୁ ତୁରନ୍ତ ବେତନଟୀ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା।
ଖବର ପାଇ ସୋମବାର ରାତିରେ ବେତନଟୀ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପୋଖରୀରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ତେବେ ଅନ୍ଧାର ହୋଇଯାଇଥିବାରୁ ରାତିରେ ସଞ୍ଜୟଙ୍କ କୌଣସି ସନ୍ଧାନ ମିଳିନଥିଲା।
ମଙ୍ଗଳବାର ସକାଳେ ପୁଣିଥରେ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିଲା। ଦୀର୍ଘ ସମୟର ଖୋଜାଖୋଜି ପରେ ଶେଷରେ ପୋଖରୀରୁ ସଞ୍ଜୟଙ୍କ ମୃତଦେହ ଉଦ୍ଧାର କରିଥିଲା ବେତନଟୀ ଅଗ୍ନିଶମ ବାହିନୀ।
ଉଦ୍ଧାର ପରେ ସଞ୍ଜୟଙ୍କ ମୃତଦେହକୁ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ବଡ଼ସାହି ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ଏନେଇ ବଡ଼ସାହି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପୁଲିସ ଘଟଣାର ତଦନ୍ତ ଚଳାଇଥିବା ବେଳେ ପୋଖରୀରେ ବୁଡ଼ି ସଞ୍ଜୟଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି। ବ୍ୟବଚ୍ଛେଦ ରିପୋର୍ଟ ପରେ ମୃତ୍ୟୁର ପ୍ରକୃତ କାରଣ ଅଧିକ ସ୍ପଷ୍ଟ ହେବ।
ସଞ୍ଜୟଙ୍କ ଅକାଳ ମୃତ୍ୟୁ ପରେ କଇଁଫୁଲିଆ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।


