ଗୁରୁଗ୍ରାମ : ଗୁରୁଗ୍ରାମର ଗଲ୍ଫ କୋର୍ସ ରୋଡରେ ଜଣେ ମହିଳା ବାଇକ ଚାଳକଙ୍କୁ କାର ଧକ୍କା ଦେବା ମାମଲାରେ ଗୁରୁଗ୍ରାମ ପୋଲିସକୁ ବଡ଼ ସଫଳତା ମିଳିଛି। ପୋଲିସ ଘଟଣାର ମୁଖ୍ୟ ଅଭିଯୁକ୍ତ କାର ଡ୍ରାଇଭରକୁ ଗିରଫ କରିବା ସହ ତାଙ୍କର ଜଣେ ସହଯୋଗୀଙ୍କୁ ଅଟକ ରଖିଛି। ଅଭିଯୁକ୍ତ କାର ଡ୍ରାଇଭରଙ୍କୁ ହରିୟାଣା ପଲୱାଲର ବାସିନ୍ଦା କଲ୍ୟାଣ ବୈନ୍ସଲା ଭାବେ ଚିହ୍ନଟ କରାଯାଇଛି। ଘଟଣା ପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତିନୋଟି ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା। ଏହି ଟିମ୍ ମଧ୍ୟରୁ ଗୋଟିଏ ଦଳ ରାଜସ୍ଥାନର ଦୌସା ପହଞ୍ଚି କଲ୍ୟାଣ ବୈନ୍ସଲାଙ୍କୁ ଅଟକ ରଖିଥିଲା। ପୋଲିସ ତାଙ୍କୁ ଗୁରୁଗ୍ରାମ ଆଣି କୋର୍ଟରେ ହାଜର କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଏତଦ୍ବ୍ୟତୀତ ଏହି ମାମଲାରେ ଜଡ଼ିତ ପଲୱାଲର ଅନ୍ୟ ଜଣେ ଯୁବକ ଲବନୀଶ ଗୁର୍ଜରଙ୍କୁ ମଧ୍ୟ ପୋଲିସ ହେପାଜତକୁ ନିଆଯାଇଛି।
ଘଟଣା ସହିତ ଜଡ଼ିତ ସିସିଟିଭି ଫୁଟେଜ୍ର ବିସ୍ତୃତ ଯାଞ୍ଚ ପରେ ପୋଲିସ ଏହି ମାମଲାରେ ‘ହତ୍ୟା ଉଦ୍ୟମ’ ଅଭିଯୋଗ ଯୋଡ଼ିବାକୁ ନିଷ୍ପତ୍ତି ନେଇଛି। ପୂର୍ବରୁ ଆହତ ମହିଳା ବାଇକ ଚାଳକ ସିଆଙ୍କ ପରିବାର ଲୋକେ ପୋଲିସ ତଦନ୍ତକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଅଭିଯୁକ୍ତମାନେ ଜାଣିଶୁଣି କାର୍କୁ ମାରାତ୍ମକ ଅସ୍ତ୍ର ଭାବେ ବ୍ୟବହାର କରି ମହିଳାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା। ଘଟଣାର ୪୮ ଘଣ୍ଟା ପରେ ମଧ୍ୟ ଅଭିଯୁକ୍ତ ଗିରଫ ନହେବାରୁ, ଏଫ୍ଆଇଆର୍ ରେ ହତ୍ୟା ଉଦ୍ୟମ ଦଫା ନଯୋଡ଼ିଲେ କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପରିବାର ଚେତାବନୀ ଦେଇଥିଲେ। ତେବେ ସିସିଟିଭି ଫୁଟେଜ୍ରୁ ପ୍ରମାଣ ମିଳିବା ପରେ ପୋଲିସ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।


