ଭୁବନେଶ୍ୱର: ସାରା ଦେଶରେ ‘ଜେନ୍-ଜି’ (Gen-Z) କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆସନ୍ତା ଅକ୍ଟୋବର ମାସରେ ରାଜଧାନୀ ଭୁବନେଶ୍ୱରରେ ଏକ ବଡ଼ ଧରଣର ଯୁବ ସମାବେଶ ‘ଛାତ୍ର କି ଗୁଞ୍ଜ’ ଆୟୋଜିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାପରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ମଧ୍ୟ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି।
ଗଣମାଧ୍ୟମକୁ ସୂଚନା ଦେଇ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ଏହି ବିଷୟରେ ଜଣାଇଛନ୍ତି। ସେ କହିଛନ୍ତି ଯେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଅକ୍ଟୋବରରୁ ଫେବୃଆରୀ ମାସ ମଧ୍ୟରେ କଂଗ୍ରେସ ରାଜ୍ୟବ୍ୟାପୀ ଏକାଧିକ କାର୍ଯ୍ୟକ୍ରମ ଆୟୋଜନ କରିବ। ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ନବରଙ୍ଗପୁରରୁ ଏକ ବିଶାଳ ପଦଯାତ୍ରା ଆରମ୍ଭ ହେବ, ଯାହା ପରେ ରାଜ୍ୟବ୍ୟାପୀ ଆନ୍ଦୋଳନରେ ରୂପାନ୍ତରିତ ହେବ। ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ‘ଛାତ୍ର କି ଗୁଞ୍ଜ’ କାର୍ଯ୍ୟକ୍ରମରେ ୨୦ ହଜାରରୁ ଅଧିକ ଯୁବକ-ଯୁବତୀ ଅଂଶଗ୍ରହଣ କରିବେ।ଏହି ସମସ୍ତ ପ୍ରସ୍ତାବିତ କାର୍ଯ୍ୟକ୍ରମର ଚିଠା କେନ୍ଦ୍ରୀୟ କମିଟିକୁ ପଠାଯାଇଛି, ଅନୁମୋଦନ ମିଳିବା ପରେ ଚୂଡ଼ାନ୍ତ ସୂଚୀ ପ୍ରକାଶ ପାଇବ ଏବଂ ଜାନୁଆରୀ ଓ ଫେବୃଆରୀ ମାସରେ ମଧ୍ୟ ଅନେକ ଜାତୀୟ ସ୍ତରର କଂଗ୍ରେସ ନେତା ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ।


