ଭୁବନେଶ୍ବର: ବାଲେଶ୍ୱରରୁ ଉଦ୍ଧାର ହୋଇଥିବା ୫ଟି ବିଦେଶୀ ଓରାଙ୍ଗଉଟାନ ଶିଶୁଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପ୍ରାଥମିକ ରକ୍ତ ପରୀକ୍ଷା ରିପୋର୍ଟରୁ ୫ ଜଣଙ୍କ ମଧ୍ୟରୁ ୩ ଜଣ ରକ୍ତହୀନତା (ଆନିମିଆ)ରେ ପୀଡ଼ିତ ଥିବା ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଅନ୍ୟ ଦୁଇଜଣଙ୍କଠାରେ ସ୍ୱଳ୍ପ ଲକ୍ଷଣ ଦେଖାଦେଇଛି। ପିସିସିଏଫ୍ଙ୍କ ଦ୍ୱାରା ଗଠିତ ଏକ ଉଚ୍ଚସ୍ତରୀୟ ବୈଷୟିକ କମିଟି ନନ୍ଦନକାନନର ‘ହ୍ୟାଣ୍ଡ ରିଅରିଂ ସେଣ୍ଟର’ ପରିଦର୍ଶନ କରି ଶିଶୁମାନଙ୍କର ପୁଙ୍ଖାନୁପୁଙ୍ଖ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ଏହି ଟିମ୍ରେ ମହୀଶୂର ଚିଡ଼ିଆଖାନାର ବରିଷ୍ଠ ପଶୁ ଚିକିତ୍ସକ ଡା. ଶଶିଧର, ଡା. ମଦନ ଏବଂ ଓୟୁଏଟି ୱାଇଲ୍ଡଲାଇଫ୍ ହେଲ୍ଥ ସେଣ୍ଟରର ଡା. ଆଦିତ୍ୟ ଆଚାର୍ଯ୍ୟ ସାମିଲ ଥିଲେ। ନନ୍ଦନକାନନ ନିର୍ଦ୍ଦେଶକ, ଉପନିର୍ଦ୍ଦେଶକ ଓ ବରିଷ୍ଠ ଭେଟେରିନାରୀ ଅଧିକାରୀଙ୍କ ଉପସ୍ଥିତିରେ ଏହି ପ୍ରକ୍ରିୟା ସମ୍ପନ୍ନ ହୋଇଛି।
ଶିଶୁମାନଙ୍କ ଆଭ୍ୟନ୍ତରୀଣ ସ୍ଥିତି ଯାଞ୍ଚ ପାଇଁ ଛାତି, ପେଟ ଓ ମୁଣ୍ଡର ଏକ୍ସ-ରେ କରାଯିବା ସହ ରକ୍ତ, ସେରମ୍ ଏବଂ ନାକରୁ ସ୍ୱାବ୍ ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠାଯାଇଛି। ଆନିମିଆ ଚିହ୍ନଟ ହେବା ପରେ ବିଶେଷଜ୍ଞଙ୍କ ନିର୍ଦ୍ଦେଶ ଅନୁଯାୟୀ ସେମାନଙ୍କୁ ସ୍ୱତନ୍ତ୍ର ପୋଷକ ତତ୍ତ୍ୱ, ଆବଶ୍ୟକୀୟ ଭିଟାମିନ୍ ଓ ଔଷଧ ଦିଆଯାଉଛି।
ସୂଚନା ଥାଉ କି, ଗତ ୮ ତାରିଖରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ର ଝାଉଁ ଜଙ୍ଗଲରୁ ଚୋରା ଚାଲାଣକାରୀମାନେ ଖସି ପଳାଇବା ପରେ ବନ ବିଭାଗ ଏହି ୫ଟି (୩ଟି ଅଣ୍ଡିରା ଓ ୨ଟି ମାଈ) ଓରାଙ୍ଗଉଟାନ ଛୁଆଙ୍କୁ ଉଦ୍ଧାର କରିଥିଲା। ମା’ଠାରୁ ଅଲଗା ହୋଇଯିବା ଓ ପ୍ରତିକୂଳ ପରିବେଶ ଯୋଗୁଁ ପୂର୍ବରୁ ଜଣେ ମାଈ ଶିଶୁ ଜ୍ୱରରେ ଆକ୍ରାନ୍ତ ହୋଇଥିଲା।


