ଭୁବନେଶ୍ବର: ନବରଙ୍ଗପୁର ଜିଲ୍ଲା କେନ୍ଦୁଘାଟ ଗାଁରେ ଝାଡ଼ାବାନ୍ତି ଆତଙ୍କ ସୃଷ୍ଟି ହୋଇଛି। ଏହି ଆନ୍ତ୍ରିକ ରୋଗରେ ଆକ୍ରାନ୍ତ ହୋଇ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି। ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପ୍ରାୟ ୧୦ ଜଣ ଆକ୍ରାନ୍ତଙ୍କୁ ପୂଜାରୀଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା ଯୋଗାଇ ଦିଆଯାଉଛି। ସ୍ଥିତି ଅନୁଧ୍ୟାନ ପାଇଁ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ଏକ ପ୍ରତିନିଧି ଦଳ କେନ୍ଦୁଘାଟ ଗାଁରେ ପହଞ୍ଚିଛନ୍ତି। ସ୍ୱାସ୍ଥ୍ୟ ଟିମ୍ ଗ୍ରାମବାସୀଙ୍କ ରକ୍ତ ଓ ନମୁନା ସଂଗ୍ରହ କରିବା ସହ ଆକ୍ରାନ୍ତଙ୍କ ଚିକିତ୍ସା ଉପରେ ନଜର ରଖିଛନ୍ତି। ତେବେ ଜଳ ପ୍ରଦୂଷଣ କିମ୍ବା ଅନ୍ୟ କୌଣସି କାରଣରୁ ଏହି ରୋଗ ବ୍ୟାପିଛି, ସେ ନେଇ ସ୍ୱାସ୍ଥ୍ୟ ବିଭାଗ ଅନୁସନ୍ଧାନ ଜାରି ରଖିଛି।


