ନୂଆଦିଲ୍ଲୀ: ବରିଷ୍ଠ ଆଇପିଏସ୍ ଅଫିସର ଅମିତେନ୍ଦ୍ର ନାଥ ସିହ୍ନାଙ୍କୁ ସୀମାନ୍ତ ସୁରକ୍ଷା ବଳ (ବିଏସଏଫ)ର ଆଇଜି ଭାବେ ନୂତନ ଦାୟିତ୍ୱ ମିଳିଛି। ପୂର୍ବରୁ ସେ ସିଆରପିଏଫ୍ ଆଇଜି ଭାବେ କାର୍ଯ୍ୟ କରୁଥିଲେ। ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ, ‘ଲାଟେରାଲ ଶିଫ୍ଟ’ ଆଧାରରେ ତାଙ୍କର ଏହି ବଦଳି ହୋଇଥିବା ବେଳେ ସେ ୨୦୨୮ ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ବିଏସଏଫ୍ ଆଇଜି ଦାୟିତ୍ୱରେ ରହିବେ। ଏହା ତାଙ୍କର କେନ୍ଦ୍ରୀୟ ଡେପୁଟେସନ କାର୍ଯ୍ୟକାଳର ଏକ ଅଂଶବିଶେଷ। ଅମିତେନ୍ଦ୍ର ନାଥ ସିହ୍ନା ହେଉଛନ୍ତି ୨୦୦୨ ବ୍ୟାଚ୍ର ଜଣେ ଆଇପିଏସ୍ ଅଫିସର। ସେ ୨୦୦୨ ସେପ୍ଟେମ୍ବର ୨ରେ ଭାରତୀୟ ପୋଲିସ ସେବାରେ ଯୋଗ ଦେଇଥିଲେ। ବିହାରର ମୂଳ ବାସିନ୍ଦା ସିହ୍ନା ଆଇନ ବିଷୟରେ ଏଲଏଲବି ଏବଂ ଏଲଏଲଏମ୍ ଡିଗ୍ରୀ ହାସଲ କରିଛନ୍ତି।
କେନ୍ଦ୍ରୀୟ ଡେପୁଟେସନରେ ଯିବା ପୂର୍ବରୁ ସେ ଓଡ଼ିଶା ପୋଲିସର କ୍ରାଇମ୍ ବ୍ରାଞ୍ଚରେ ଆଇଜି ଭାବରେ ସଫଳତାର ସହ କାର୍ଯ୍ୟ କରିସାରିଛନ୍ତି। ପରବର୍ତ୍ତୀ ସମୟରେ ୨୦୨୩ ଜୁନ୍ରେ ଗୃହ ମନ୍ତ୍ରଣାଳୟ ତାଙ୍କୁ ସିଆରପିଏଫ୍ ଆଇଜି ଭାବେ ଅନୁମୋଦନ ଦେଇଥିଲେ। ଦୀର୍ଘ ୨୪ ବର୍ଷର କାର୍ଯ୍ୟକାଳ ମଧ୍ୟରେ ନିଜ ଦକ୍ଷତା ଓ ନିଷ୍ଠାପର ସେବା ପାଇଁ ସେ ବେଶ୍ ପରିଚିତ।


