ଭୁବନେଶ୍ବର: ଜମି ଦେବେ ଦେବେ କହି କୋଟିଏ ଟଙ୍କା ଠକି ନେଇଥିବା କଟକ ଜିଲ୍ଲା କଟକ ମହାନଗର ନିଗମର ୨୫ ନମ୍ବର ୱାର୍ଡ କର୍ପୋରେଟର ସତ୍ୟରାମ ସାହୁଙ୍କୁ ପୁରୀଘାଟ ଥାନା ପୁଲିସ ଆଜି ଗିରଫ କରିଛି। ସୂଚନା ଅନୁଯାୟୀ ନିମସାହିର ଗୁରୁ ପ୍ରସାଦ ମହାରଣାଙ୍କୁ ଏକ ଜମି ଦେବେ ବୋଲି କହି ସତ୍ୟରାମ ୨୦୧୯ ମସିହାରେ ପ୍ରଥମେ ୨୫ ଲକ୍ଷ ସହ ପର୍ଯ୍ୟାୟକ୍ରମେ ଏକ କୋଟି ଟଙ୍କା ନେଇଥିଲେ। ତେବେ ପରବର୍ତ୍ତୀ ଅବସ୍ଥାରେ ଜମି ଦେବା କିମ୍ବା ଟଙ୍କା ଫେରାଇବା ନା ଧରିଲେ ନାହିଁ କର୍ପୋରଟର। ଜମି ଆଜି ଦେବି କାଲି ଦେବି ବୋଲି କହି ସମୟ ଗଡ଼େଇ ଚାଲିବାରୁ ବାଧ୍ୟ ହୋଇ ଗୁରୁ ପ୍ରସାଦ ମହାରଣା ପୁରୀଘାଟ ଥାନାରେ ଏତଲା ଦେଇଥିଲେ।
ପୁଲିସ ଅଭିଯୋଗକୁ ଗୁରୁତର ସହ ଗ୍ରହଣ କରି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ କର୍ପୋରେଟର ଶ୍ରୀ ସାହୁଙ୍କୁ ଥାନାକୁ ଡକାଇ ପଚରା ଉଚରା କରିଥିଲେ। ୨୦୧୯ ମସିହାରେ ଗୁରୁପ୍ରସାଦ କର୍ପୋରେଟରଙ୍କୁ ଟଙ୍କା ଦେଇଥିବା ନେଇ ପ୍ରମାଣ ଦେବା ପରେ ପୁଲିସ ସତ୍ୟରାମଙ୍କୁ ଗିରଫ କରିଛି। ତେବେ ଏନେଇ କର୍ପୋରେଟର ଶ୍ରୀ ସାହୁଙ୍କୁ ପଚରାଯିବାରୁ ସେ ଏତେ ଟଙ୍କା ନେଇ ନାହାନ୍ତି ବୋଲି କହିଥିଲେ। ଏନେଇ ଠକାମୀର ଶୀକାର ହୋଇଥିବା ଗୁରୁଚରଣ କହିଥିଲେ ଯେ, ଜଣେ ଜନପ୍ରତିନିଧି ଯେ ଏଭଳି ଠକିବ ତାହା ମୁଁ କେବେ ଭାବି ନଥିଲି । ମାତ୍ର ମୋର ଏ ଭାବନା ମିଥ୍ୟା ପ୍ରମାଣିତ ହେଲା। ବାରମ୍ବାର ତାଙ୍କୁ ଫୋନ କରି ଏବାବଦରେ ପଚାରିଲେ ସେ ଭଦ୍ରଭାବେ ସମୟ ଗଡ଼ାଇ ଚାଲିଲେ ଏବଂ ପରବର୍ତ୍ତୀ ସମୟରେ ଏହାକୁ ଫାଙ୍କି ଦେବାକୁ ଚେଷ୍ଟା କରିଥିଲେ। ଏଣୁ ପୁଲିସର ଆଶ୍ରୟ ନେଲି ବୋଲି କହିଛନ୍ତି ଗୁରୁଚରଣ। ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ଅପରପକ୍ଷେ ବିଜେଡି କର୍ପୋରେଟର ଗିରଫ ନେବା ଖବର ପ୍ରଚାର ହେବା ପରେ ଦଳ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।


