ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ପୁର ତାରାତାରିଣୀ ମହାବିଦ୍ୟାଳୟରେ ଅଧ୍ୟୟନରତ ଯୁକ୍ତ ତିନି ଛାତ୍ର ସୁମିତ୍ କୁମାର ମିଶ୍ର ରୁଷିକୁଲ୍ୟା ନଦୀର ସ୍ରୋତରେ ଭାସି ପ୍ରାଣ ହରାଇଛନ୍ତି। ଖଣ୍ଡଦେଉଳି ପଞ୍ଚାୟତ ଝରାକୁଆଳି ଗ୍ରାମରେ ମୃତ ଛାତ୍ରଙ୍କ ଘର। ସେ କିଛି ସାଙ୍ଗମାନଙ୍କ ସହିତ କଲେଜର ଗଣେଶ ମୁର୍ତ୍ତି ବିସର୍ଜନ ପାଇଁ ପ୍ରତାପପୁର ନିକଟସ୍ଥ ରୁଷିକୁଲ୍ୟା ନଦୀକୁ ଯାଇଥିଲେ। ଏହି ସମୟରେ ୩ ଜଣ ଛାତ୍ର ଅସାବଧାନତା ବଶତଃ ନଦୀ ଭିତରକୁ ଖସି ଯାଇଥିଲା ବେଳେ ସାଙ୍ଗମାନଙ୍କ ସହଯୋଗରେ ଦୁଇ ଜଣ ଉଦ୍ଧାର ହୋଇଥିଲେ। କିନ୍ତୁ ସୁମିତ୍ ଗଭୀର ପାଣିରେ ବୁଡି ଯାଇଥିଲେ।
ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ନଦୀ ସାରା ଖୋଜି ଖୋଜି ନୟାନ୍ତ ହୋଇ ଯାଇଥିଲେ। ପରବର୍ତ୍ତୀ ସମୟରେ ସୁମିତ୍ ର ମରଶରୀର ନିକଟସ୍ଥ ଅନ୍ୟ ଏକ ସ୍ଥାନ ବୁଦାରେ ଲାଗିଥିବା ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ଏହିଭଳି ସମ୍ବେଦନଶୀଳ ଖବର ସାରା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ଖବର ପାଇ ତହସିଲଦାର ବିନୋଦ ବେହେରା, ଅତିରିକ୍ତ ତହସିଲଦାର ଓ କର୍ମଚାରୀ, ପୋଲିସ, କଲେଜ ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦୁଃଖ ପ୍ରକାଶ କରିଛନ୍ତି। ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।


