ଭୁବନେଶ୍ୱର: ସୁଧ ଟଙ୍କା କାରବାରକୁ କେନ୍ଦ୍ର କରି ରାଜଧାନୀରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଓଏଏସ୍ ଅଫିସରଙ୍କ ଘର ଆଗରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଜଣେ ଯୁବକ ଆତ୍ମାହୁତି ଦେଇଛନ୍ତି। ମୃତ ଯୁବକ ଜଣକ କୈଳାଶ ବିହାର ମହାବୀର ବସ୍ତିର ଅଶ୍ଵିନୀ କୁମାର ତାଣ୍ଡିଆ ବୋଲି ଚିହ୍ନଟ ହୋଇଛନ୍ତି। ଅଭିଯୋଗ ଅନୁଯାୟୀ, ଓଏଏସ୍ ଅଫିସର ଓ ତାଙ୍କ ଶାଳକ ଅଶ୍ୱିନୀଙ୍କଠାରୁ ସୁଧରେ ନେଇଥିବା ୧୭ ଲକ୍ଷ ଟଙ୍କା ଫେରାଉ ନଥିଲେ। ଏଥିରେ ଅତିଷ୍ଠ ହୋଇ ଯୁବକ ଜଣକ ଏପରି ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି। ଘଟଣା ସମ୍ପର୍କରେ ଚନ୍ଦ୍ରଶେଖରପୁର ଥାନାରେ ମାମଲା ରୁଜୁ ହେବା ପରେ ପୋଲିସ ତଦନ୍ତ ବେଗବାନ କରିଛି। ପୋଲିସ ଓଏଏସ୍ ଅଫିସରଙ୍କ ଶାଳକ ପ୍ରଭାସ ପଣ୍ଡାଙ୍କୁ ଗିରଫ କରିଥିବା ବେଳେ ଫରାର ଥିବା ଓଏଏସ୍ ଅଫିସରଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।


