ମୁମ୍ବାଇ: ଆଇଆଇଟି ବମ୍ବେ କ୍ୟାମ୍ପସରେ ଜଣେ ୨୨ ବର୍ଷୀୟ ଛାତ୍ରଙ୍କ ଆତ୍ମହତ୍ୟାକୁ ନେଇ ବ୍ୟାପକ ଉତ୍ତେଜନା ଓ ପ୍ରତିବାଦ ପରେ କଲେଜ କର୍ତ୍ତୃପକ୍ଷ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆଇଆଇଟି ବମ୍ବେର ‘ଡିନ୍ ଅଫ୍ ଷ୍ଟୁଡେଣ୍ଟ ଆଫେୟାର୍ସ’ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲାଙ୍କୁ ତତ୍କ୍ଷଣାତ ଚାକିରିରୁ ନିଲମ୍ବିତ କରାଯାଇଛି। ଆଇଆଇଟି ବମ୍ବେ ନିର୍ଦ୍ଦେଶକ ଶିରୀଷ ବି. କେଦାରେ ସୂଚନା ଦେଇଛନ୍ତି ଯେ ଘଟଣାର ପୂର୍ଣ୍ଣାଙ୍ଗ ତଦନ୍ତ ପରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନିଆଯିବ। ମୃତ ଛାତ୍ରଙ୍କ ହେଲେ ଏନର୍ଜି ସାଇନ୍ସ ଓ ଇଞ୍ଜିନିଅରିଂ ବିଭାଗର ଦ୍ୱିତୀୟ ବର୍ଷ ବି.ଟେକ୍ ଛାତ୍ର ସାହିଲ ରବୀନ୍ଦ୍ର ୱାକୋଡେ (୨୨)। ଗତ ଶୁକ୍ରବାର ସନ୍ଧ୍ୟାରେ ପୋୱାଇ କ୍ୟାମ୍ପସସ୍ଥିତ ହଷ୍ଟେଲ ରୁମ୍ର ସିଲିଂ ଫ୍ୟାନ୍ରୁ ତାଙ୍କ ମୃତଦେହ ମିଳିଥିଲା। ମିଡ୍-ସେମିଷ୍ଟାର ପରୀକ୍ଷା ସମୟରେ ମୋବାଇଲ୍ ଫୋନ୍ ଏବଂ ଚାଟ୍ଜିପିଟି ବ୍ୟବହାର କରୁଥିବା ଅଭିଯୋଗରେ ତାଙ୍କୁ ଧରାଯାଇଥିଲା। ଏହାର କିଛି ଘଣ୍ଟା ପରେ ସେ ଏହି ଚରମ ନିଷ୍ପତ୍ତି ନେଇଥିଲେ। ଆତ୍ମହତ୍ୟା ପଛରେ ପରୀକ୍ଷା ବିବାଦ ସହ ଜାତିଗତ ଭେଦଭାବ ଓ ନିର୍ଯାତନା ଅଭିଯୋଗ ଆଣି ଶହ ଶହ ଛାତ୍ରଛାତ୍ରୀ କ୍ୟାମ୍ପସରେ ତୀବ୍ର ଆନ୍ଦୋଳନ କରିଥିଲେ।


