ଭୁବନେଶ୍ୱର : ଲୋକେ ଆତଙ୍କିତ ହେବା ଆବଶ୍ୟକ ନାହିଁ। ରାଜ୍ୟରେ ବାତ୍ୟା ଆଶଙ୍କା ନାହିଁ। କମ୍ ପବନ ହେବ। ଅଧିକ ବର୍ଷିବ। ସୋମବାର ଭାରତୀୟ ପାଣିପାଗ ବିଭାଗ ବା ଆଇଏମ୍ଡି ପୂର୍ବାନୁମାନ କରିଛି ଯେ ଲଘୁଚାପ ଅଧିକରୁ ଅଧିକ ଘନୀଭୂତ ହେବ, ଆଉ ଗଭୀର ଅବପାତର ରୂପ ନେବ। ଯାହାର ପ୍ରଭାବରେ ଆସନ୍ତା ୨୩ ଓ ୨୪ ତାରିଖରେ ପ୍ରବଳ ବର୍ଷା ହେବ। ବିଶେଷ କରି ଦକ୍ଷିଣ ଓଡ଼ିଶା ଅଧିକ ପ୍ରଭାବିତ ହେବ। ଏହାର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଛି। ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପବନ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଏପଟେ ଏସଆରସି, ବିଭିନ୍ନ ବିଭାଗର ସଚିବ ଓ ଅଧିକାରୀଙ୍କୁ ନେଇ ସରକାର ସ୍ଥିତି ସମୀକ୍ଷା କରିଛନ୍ତି। ୧୧ଟି ଜିଲ୍ଲା ପ୍ରଭାବିତ ହେବାକୁ ଥିବାବେଳେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଓ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି ଯେ, ଲଘୁଚାପ ନିଶ୍ଚିତ ଭାବେ ଗଭୀର ଅବପାତର ରୂପ ନେବ। ଯାହା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ୨୩ ରାତି ୨୪ ସକାଳ ମଧ୍ୟରେ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବ ଗଭୀର ଅବପାତ। ୨୨ ତାରିଖ ସନ୍ଧ୍ୟାରୁ ହିଁ ବର୍ଷା ସାଙ୍ଗକୁ ୫୫ରୁ ୬୫ କିମି ବେଗରେ ପବନ ବହିବା ଆରମ୍ଭ ହୋଇଯିବ। ଝଟକା ପବନ ସର୍ବାଧିକ ୭୫ କିଲୋମିଟର ବେଗରେ ହୋଇପାରେ। ସୋମବାଠୁ ବର୍ଷା ଆରମ୍ଭ ହୋଇସାରିଥିବା ବେଳେ ୨୫ ଯାଏଁ ବର୍ଷିବ। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ସୋମବାର ୱେଲମାର୍କଡ ଲୋ-ପ୍ରେସରରେ ପରିଣତ ହୋଇଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ଯାହା ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ଅଧିକ। ୨୩ରେ ଗଞ୍ଜାମ, ଗଜପତି ଓ କୋରାପୁଟ ଜିଲ୍ଲାରେ ଭୀଷଣ ବର୍ଷା ନେଇ ରେଡ୍ ଆଲର୍ଟ ଜାରି ହୋଇଛି।
ଆସନ୍ତା ୨୩ ଓ ୨୪ ତାରିଖରେ ଓଡ଼ିଶାରେ ପ୍ରବଳ ବର୍ଷାର ଆଶଙ୍କା ଥିବା ପୂର୍ବାନୁମାନ କରିଛନ୍ତି ଆଇଏମଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। ତାଙ୍କ କହିବା କଥା ଯେ ୧୯ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧୀରେଧୀରେ ପଶ୍ଚିମ ଉତ୍ତର ଦିଗରେ ଗତି କରିବାରେ ଲାଗିଛି। ଏହା ଅବପାତରେ ପରିଣତ ହେବା ପରେ ଧୀରେଧୀରେ ଏହା ଗଭୀର ଅବପାତ ରୂପ ନେବ। ଏହାର ପ୍ରଭାବରେ ୨୩ ଓ ୨୪ ତାରିଖରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ପୁରୀରୁ ଦକ୍ଷିଣକୁ ଥିବା ଜିଲ୍ଲାଗୁଡ଼ିକ ସମ୍ଭାବ୍ୟ ଗଭୀର ଅବପାତରେ ସବୁଠାରୁ ବେଶୀ ପ୍ରଭାବିତ ହେବେ। ୨୨ ତାରିଖ ସନ୍ଧ୍ୟାରୁ ଘଣ୍ଟାପ୍ରତି ୫୫ରୁ ୬୫ କିମି ବେଗରେ ପବନ ବହିପାରେ। ଆଉ ୨୩ ତାରିଖ ରାତିରୁ ୨୪ ତାରିଖ ସକାଳ ମଧ୍ୟରେ ଗଭୀର ଅବପାତ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବ। ତେଣୁ ୨୩ ଓ ୨୪ ତାରିଖରେ କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ୨୫ ତାରିଖ ବେଳକୁ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ଅଧିକ ବର୍ଷା ହେବ। ଏପରିକି ୨୦ ସେମି ପର୍ଯ୍ୟନ୍ତ ବର୍ଷା ହେବାର ଆଶଙ୍କା ରହିଛି। ଏଥିଯୋଗୁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇପାରେ। ତଳିଆ ଅଞ୍ଚଳର ସହରୀ ବନ୍ୟା ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ। ପ୍ରବଳ ବର୍ଷା ହେବାକୁ ଥିବାରୁ ନଦୀର ଜଳସ୍ତର ବଢ଼ିବା ସମ୍ଭାବନା ରହିଛି। ଆଉ ସମୁଦ୍ର ଅଶାନ୍ତ ହୋଇପାରେ। ତେଣୁ ମତ୍ସଜୀବୀଙ୍କୁ ସମୁଦ୍ର ଯିବାକୁ ମନା କରିଛନ୍ତି ଆଇଏମଡି ମହାନିର୍ଦ୍ଦେଶକ ଶ୍ରୀ ମହାପାତ୍ର। ଏଥିପାଇଁ ସେ ସମସ୍ତଙ୍କୁ ସତର୍କ ରହିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।
ସେପଟେ ବର୍ଷା ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। କଟକରୁ କୋରାପୁଟ ଯାଏଁ ଆଗୁଆ ଆକ୍ସନ ମୋଡରେ ପ୍ରଶାସନ। ଦକ୍ଷିଣ ଓଡ଼ିଶାକୁ ରହିଛି ଅଧିକ ବର୍ଷା ବିପଦ। ତେଣୁ ସମ୍ଭାବ୍ୟ ପ୍ରବଳ ବର୍ଷା, ପବନ, ଜଳବନ୍ଦୀ ସମସ୍ୟା ଓ ଭୂସ୍ଖଳନ ଭଳି ପରିସ୍ଥିତିର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଉଦ୍ଧାରକାରୀ ଯନ୍ତ୍ରପାତି, ଔଷଧ ଓ ମାନବ ସମ୍ବଳ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆସରିଛି। ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯିବା ସହ ୨୫ ଯାଏଁ ସଦର ମହକୁମା ନଛାଡ଼ିବାକୁ କୁହାଯାଇଛି। ଭୂସ୍ଖଳନ ଆଶଙ୍କାରେ ୨୩ ଓ ୨୪ ତାରିଖ ଦୁଇ ଦିନ ବନ୍ଦ ରହିବ କଳିଙ୍ଗା ଘାଟି। ବିକଳ୍ପ ରାସ୍ତା ଦେଇ ଯାତାୟାତ ଜାରି ରହିବ। ଚିକିଟି ଓ ପାତ୍ରପୁର ଅଞ୍ଚଳରେ ମଧ୍ୟ ଭୂସ୍ଖଳନ ଆଶଙ୍କା ଥିବାରୁ ଅଗ୍ନିଶମ ଓ ଓଡ୍ରାଫ ଟିମକୁ ପ୍ରସ୍ତୁତ ରଖାଯାଇଛି। ଆଜି ଜିଲ୍ଲାପାଳ ବାତ୍ୟା ଆଶ୍ରୟସ୍ଥଳ ବୁଲି ଦେଖିବା ସହ ଜରୁରୀ ଔଷଧ, ଲାଇଟ୍, ଜେନେରେଟର ଓ ରହିବା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ଆବଶ୍ୟକ ପଡ଼ିଲେ ସମୁଦ୍ର ଓ ତଳିଆ ଅଂଚଳର ଲୋକଙ୍କୁ ସ୍ଥାନାନ୍ତର କରାଯିବ ଏବଂ କଳାବଜାରୀ ଉପରେ ଫୋକସ ରହିବ ବୋଲି କହିଛନ୍ତି ଜିଲ୍ଲାପାଳ। ଏସଆରସି, ବିଭିନ୍ନ ବିଭାଗର ସଚିବ ଓ ଅଧିକାରୀଙ୍କୁ ନେଇ ବୈଠକ କରିଛନ୍ତି ସରକାର। ମୁଖ୍ୟ ସଚିବ ଅନୁ ଗର୍ଗ କହିଛନ୍ତି, ଲଘୁଚାପର ପ୍ରଭାବ ରାଜ୍ୟର ୧୧ଟି ଜିଲ୍ଲା ଉପରେ ପଡ଼ିବ। ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କେବଳ ଇନ୍ଦ୍ରାବତୀ ଏବଂ ତେଲିଙ୍ଗିରି ଡ୍ୟାମରେ ପାଣି କମାଇବାକୁ କୁହାଯାଇଛି। ଆଜିଠାରୁ ଏସଆରସି ଅଫିସରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ସେହିପରି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।


