ନୂଆଦିଲ୍ଲୀ: ବାଣିଜ୍ୟିକ ଓ ସାମରିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଆସନ୍ତା ଡିସେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୪ଟି ପ୍ରମୁଖ ଦେଶ ଗସ୍ତ କରିବାର ସମ୍ଭାବନା ରହିଛି। ସେ ଜର୍ମାନୀ, ଆମେରିକା, କାନାଡ଼ା ଏବଂ ବେଲଜିୟମ୍ ଗସ୍ତ କରିବାକୁ ଥିବାବେଳେ, ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଦ୍ୱିପାକ୍ଷିକ ବୈଠକ ଏହି ଗସ୍ତର ମୁଖ୍ୟ ଆକର୍ଷଣ ହେବ। ଏହି ବହୁଚର୍ଚ୍ଚିତ ବିଦେଶ ଗସ୍ତ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଆନୁଷ୍ଠାନିକ ଘୋଷଣା ହୋଇ ନଥିଲେ ହେଁ, ସମ୍ପୃକ୍ତ ଦେଶଗୁଡ଼ିକର ରାଜଧାନୀରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ସୂଚନା ମିଳିଛି।
ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଜର୍ମାନୀର ବର୍ଲିନ୍ରୁ ଆରମ୍ଭ ହେବ। ସେଠାରେ ସେ ଭାରତ-ଜର୍ମାନୀ ଅନ୍ତଃ-ସରକାରୀ ଆଲୋଚନା ବୈଠକରେ ଅଂଶଗ୍ରହଣ କରିପାରନ୍ତି। ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ସବୁଜ ଓ ସ୍ଥାୟୀ ବିକାଶ, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, କୁଶଳୀ ଶ୍ରମିକମାନଙ୍କ ଗମନାଗମନ ଏବଂ ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ଚର୍ଚ୍ଚା ହେବ।
ଜର୍ମାନୀ ପରେ ମୋଦୀ ଆମେରିକା ଗସ୍ତ କରି ଫ୍ଲୋରିଡାର ମିଆମିସ୍ଥିତ “ଟ୍ରମ୍ପ୍ ନାସନାଲ ଡୋରାଲ”ରେ ଡିସେମ୍ବର ୧୪ ଓ ୧୫ ରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେଇପାରନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ହେବାର ସମ୍ଭାବନା ରହିଛି। ପୂର୍ବରୁ ଗତ ଜୁନ୍ ୧୭ରେ ଫ୍ରାନ୍ସର ଏଭିଆନ୍ଠାରେ ଜି-୭ ସମ୍ମିଳନୀ ଅବସରରେ ଦୁଇ ନେତାଙ୍କ ସାକ୍ଷାତ ହୋଇଥିଲା। ଏହାବ୍ୟତୀତ ଜି-୨୦ ବୈଠକ ଅବସରରେ କ୍ୱାଡ୍ ନେତାମାନଙ୍କ ସମ୍ମିଳନୀ ଆୟୋଜନ ପାଇଁ ମଧ୍ୟ ଉଦ୍ୟମ ଚାଲିଛି।
ଆମେରିକା ପରେ ପ୍ରଧାନମନ୍ତ୍ରୀ କାନାଡ଼ା ଗସ୍ତ କରିପାରନ୍ତି, ଯେଉଁଠାରେ ପ୍ରସ୍ତାବିତ ବ୍ୟାପକ ଆର୍ଥିକ ଭାଗିଦାରୀ ଚୁକ୍ତି (ସିଇପିଏ) ଉପରେ ଆଲୋଚନା ହୋଇପାରେ। ଶେଷ ପର୍ଯ୍ୟାୟରେ ସେ ବେଲଜିୟମ୍ ଗସ୍ତ କରି ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭରଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ମୋଟାମୋଟି ଭାବେ ଏହି ଗସ୍ତ ପ୍ରସ୍ତାବିତ ଭାରତ-ଇୟୁ ବାଣିଜ୍ୟ ଚୁକ୍ତିକୁ ଆଗକୁ ନେବାରେ ସହାୟକ ହେବ ବୋଲି ଅନୁମାନ କରାଯାଉଛି।


