ଭୁବନେଶ୍ୱର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ଆନୁକୂଲ୍ୟରେ ଆସାମ ଗସ୍ତରେ ଥିବା ଉଚ୍ଚସ୍ତରୀୟ ଗଣମାଧ୍ୟମ ପ୍ରତିନିଧି ଦଳ ଆଜି ଦିବ୍ରୁଗଡ଼ ସ୍ଥିତ ଆଇସିଏମଆର-ଜାତୀୟ ସ୍ୱାସ୍ଥ୍ୟ ଗବେଷଣା ପ୍ରତିଷ୍ଠାନ (ଏନଆଇଏଚଆର) ପରିଦର୍ଶନ କରିଛି। ଗଣମାଧ୍ୟମ ପ୍ରତିନିଧିମାନେ ଏହି ପ୍ରତିଷ୍ଠାନର ନିର୍ଦ୍ଦେଶକ ଡକ୍ଟର ସୁମନ କାନୁନଗୋଙ୍କ ସହିତ ମଧ୍ୟ ମତ ବିନିମୟ କରିଛନ୍ତି। ଆଇସିଏମଆର- ଏନଆଇଏଚଆରର ଗବେଷଣା, ରୋଗ ନିରୀକ୍ଷଣ, ନିଦାନ ସୁବିଧା ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ ହସ୍ତକ୍ଷେପ ସମ୍ପର୍କରେ ଓଡ଼ିଶାର ସାମ୍ବାଦିକମାନଙ୍କୁ ସୂଚନା ଦିଆଯାଇଥିଲା। ସାମ୍ବାଦିକମାନେ ପ୍ରତିଷ୍ଠାନରେ କାର୍ଯ୍ୟରତ ବୈଜ୍ଞାନିକ, ଗବେଷକ ଓ ବିଶେଷଜ୍ଞଙ୍କ ଆଲୋଚନା କରିବା ସହିତ ବୈଜ୍ଞାନିକ ଗବେଷଣାର ଫଳାଫଳ କିପରି ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଉପଯୋଗୀ ହୋଇପାରୁଛି ସେ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ।
ଦିବ୍ରୁଗଡ଼ ସ୍ଥିତ ଆଇସିଏମଆର-ଏନଆଇଏଚଆର ୧୨ ଜୁଲାଇ ୧୯୮୨ରେ ପ୍ରତିଷ୍ଠା କରାଯାଇଥିଲା। ଏହି ପ୍ରତିଷ୍ଠାନ ବର୍ତ୍ତମାନ ଉତ୍ତର ପୂର୍ବ ଭାରତରେ ବାୟୋମେଡ଼ିକାଲ ଗବେଷଣା, ରୋଗ ନିରୀକ୍ଷଣ, ନିଦାନ ଏବଂ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ନୂତନ ଉଦ୍ଭାବନ ଲାଗି ଖ୍ୟାତି ଅର୍ଜନ କରିଛି। ଏହା ସ୍ଥାନୀୟ ଅଞ୍ଚଳରେ ଗବେଷଣା ଓ ନିଦାନ କ୍ଷମତାକୁ ସୁଦୃଢ଼ କରିବାରେ ଉଲ୍ଲେଖନୀୟ ଯୋଗଦାନ ଦେଇଛି। ଆଇସିଏମଆର- ଏନଆଇଏଚଆର ଅଧୀନରେ ୬ଟି ଆଞ୍ଚଳିକ କେନ୍ଦ୍ର ଆସାମ, ଅରୁଣାଚଳ ପ୍ରଦେଶ, ମେଘାଳୟ, ମିଜୋରାମ, ନାଗାଲାଣ୍ଡ ଓ ତ୍ରିପୁରାରେ କାର୍ଯ୍ୟକ୍ଷମ ରହିଛି। ସେହିପରି ମଣିପୁରର ସେନାପତି ଜିଲ୍ଲାରେ ଆଉ ଏକ କେନ୍ଦ୍ର ପ୍ରତିଷ୍ଠାକୁ ମଞ୍ଜୁରି ମିଳିଛି। ସେହିପରି ଗୌହାଟୀରେ ଏକ ବାୟୋମେଡ଼ିକାଲ ଗବେଷଣା କେନ୍ଦ୍ର ଖୁବ୍ କମ୍ ଦିନ ମଧ୍ୟରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି ଏବଂ ତ୍ରିପୁରାରେ ମଧ୍ୟ ଏଭଳି କେନ୍ଦ୍ର ସ୍ଥାପନ କରାଯିବ।
ଗମ୍ଭୀର ଏନସେଫାଲାଇଟିସ୍ ରୋଗ, ଜାପାନୀ ଏନସେଫାଲାଇଟ୍ସ ରୋଗ, ରିକେଟସିଆଲ ସଂକ୍ରମଣ ଭଳି ରୋଗ ନିଦାନ ଓ ଗବେଷଣା କ୍ଷେତ୍ରରେ ଆଇସିଏମଆର- ଏନଆଇଏଚଆର ଉନ୍ନତ ଗବେଷଣା ଏବଂ ଉପଲବ୍ଧି ହାସଲ କରିଛି। ପ୍ରତିଷ୍ଠାନର ଆଞ୍ଚଳିକ ପ୍ରୟୋଗଶାଳା କୋଭିଡ୍ ମହାମାରୀ ସମୟରେ ପ୍ରାୟ ୩.୯ ଲକ୍ଷ ଆରଟି-ପିସିଆର୍ ପରୀକ୍ଷା କରିଥିଲା। ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ କ୍ଷେତ୍ରରେ ମଧ୍ୟ ଏହି ପ୍ରତିଷ୍ଠାନ ଉଲ୍ଲେଖନୀୟ ଯୋଗଦାନ କରିଛି। ୨୦୨୫ରେ ଏହା ସିଆରଆଇଏସପିଆର-ସିଏଏସ ଆଧାରିତ ଯକ୍ଷ୍ମା ନିଦାନ ପ୍ଲାଟଫର୍ମ ଘରୋଇ ଉତ୍ପାଦନକାରୀଙ୍କୁ ହସ୍ତାନ୍ତର କରିଛି।
ଏହା ସୁଲଭ ଓ ବ୍ୟାପକ ପରୀକ୍ଷଣକୁ ସମର୍ଥନ କରିଛି। ସେହିପରି ମ୍ୟାଲେରିଆ ରୋଗ ମୁକାବିଲାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଗବେଷଣା ଓ ବିକାଶ ଯୋଗଦାନ ଦେଇଛି। ଚା’ ବଗିଚାରେ ଆଇସିଏମଆର- ଏନଆଇଏଚଆର ହସ୍ତକ୍ଷେପ ଫଳରେ ସେଠାରେ କାର୍ଯ୍ୟରତ ଲୋକଙ୍କ ମଧ୍ୟରେ ଉଚ୍ଚରକ୍ତଚାପ ହାର ୬୦.୮%ରୁ ୩୦%କୁ ହ୍ରାସ ପାଇଛି। ଏହାବ୍ୟତୀତ ପ୍ରତିଷ୍ଠାନ ଆଠଟି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ପୋଷଣ, କର୍କଟ, ଏନିମିଆ ଏବଂ ହିମୋଗ୍ଲୋବିନୋପାଥୀ ଉପରେ ମଧ୍ୟ ଗବେଷଣା କରୁଛି।
ଏଭଳି ଏକ ପ୍ରତିଷ୍ଠିତ ସ୍ୱାସ୍ଥ୍ୟ ଗବେଷଣା ପ୍ରତିଷ୍ଠାନକୁ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳର ଗସ୍ତ ଆସାମ ଓ ଉତ୍ତର ପୂର୍ବାଞ୍ଚଳରେ ଚାଲିଥିବା ସ୍ୱାସ୍ଥ୍ୟସେବା ପ୍ରସ୍ତୁତି, ବୈଜ୍ଞାନିକ ଗବେଷଣା ଏବଂ ଗୋଷ୍ଠୀ ଆଧାରିତ ସ୍ୱାସ୍ଥ୍ୟ ହସ୍ତକ୍ଷେପ ଲୋକଲୋଚନକୁ ଆଣିବା ଏବଂ ମଜବୁତ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।


