ଭୁବନେଶ୍ୱର/କୋଲକାତା: ପୁରୀ ଶ୍ରୀକ୍ଷେତ୍ରର ପବିତ୍ର ଆଧ୍ୟାତ୍ମିକ ଗାରିମା ଓ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ସମ୍ମାନ ଜଣାଇ ପଶ୍ଚିମବଙ୍ଗ ସରକାର ଦୀଘା ଜଗନ୍ନାଥ ମନ୍ଦିର ପରିସରରୁ ‘ଧାମ’ ଶବ୍ଦ ପ୍ରତ୍ୟାହାର କରି ନେଇଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏ ସମ୍ପର୍କରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆନୁଷ୍ଠାନିକ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି। ଏହି ଐତିହାସିକ ଓ ସମ୍ବେଦନଶୀଳ ନିଷ୍ପତ୍ତି ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ହୃଦୟରୁ କୃତଜ୍ଞତା ଓ ସାଧୁବାଦ ଜଣାଇଛନ୍ତି।
ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲା ଅନ୍ତର୍ଗତ ଦୀଘାଠାରେ ଥିବା ଜଗନ୍ନାଥ ମନ୍ଦିର ଓ ଏହାର ସମ୍ପୂର୍ଣ୍ଣ ପରିସରର ନାମକରଣରେ ପରିବର୍ତ୍ତନ କରାଯାଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ୨୩/୧୧/୨୦୨୬ ତାରିଖରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପଠାଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ପୁରୀସ୍ଥିତ ପରମ ପୂଜ୍ୟ ଶ୍ରୀଜଗନ୍ନାଥ ଧାମ ସହିତ ଜଡ଼ିତ ଗଭୀର ଧାର୍ମିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ ମହତ୍ତ୍ୱକୁ ସେ ସମ୍ମାନ ଜଣାଉଛନ୍ତି। ପୁରୀ ଶ୍ରୀକ୍ଷେତ୍ରର ଅନନ୍ୟ ଓ ଅଦ୍ୱିତୀୟ ଧାର୍ମିକ ମର୍ଯ୍ୟାଦାକୁ ଦୃଷ୍ଟିରେ ରଖି ଏହି ବିଷୟ ଉପରେ ବିଚାର କରାଯିବା ପରେ ଦୀଘା ପରିସରର ନୂଆ ନାମକରଣ କରାଯାଇଛି।
ନୂତନ ନିଷ୍ପତ୍ତି ଅନୁଯାୟୀ, ଦୀଘାର ସମ୍ପୂର୍ଣ୍ଣ ମନ୍ଦିର ପରିସର ଏଣିକି ‘ଶ୍ରୀ ଶ୍ରୀ ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର’ ନାମରେ ପରିଚିତ ହେବ ଏବଂ ଏହି ପରିସର ମଧ୍ୟରେ ଅବସ୍ଥିତ ମନ୍ଦିରର ନାମ ‘ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର’ ରଖାଯାଇଛି। ଏହି ସଂଶୋଧିତ ନାମକରଣ ଗୋଟିଏ ପଟେ ମନ୍ଦିରର ଧାର୍ମିକ ପବିତ୍ରତାକୁ ଯଥାଯଥ ଭାବେ ପ୍ରତିଫଳିତ କରୁଥିବା ବେଳେ ଅନ୍ୟପଟେ ସମଗ୍ର ପରିସରର ବ୍ୟାପକ ସାଂସ୍କୃତିକ ସ୍ୱରୂପକୁ ମଧ୍ୟ ସ୍ୱୀକୃତି ଦେଉଛି ବୋଲି ପତ୍ରରେ ଦର୍ଶାଯାଇଛି।
ଏହି ନିଷ୍ପତ୍ତିକୁ ସ୍ୱାଗତ କରି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ସମଗ୍ର ବିଶ୍ୱର ଆଧ୍ୟାତ୍ମିକ ପ୍ରାଣକେନ୍ଦ୍ର ତଥା ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆସ୍ଥା, ବିଶ୍ୱାସ ଓ ସାଂସ୍କୃତିକ ପରିଚୟର ସର୍ବଶ୍ରେଷ୍ଠ ପ୍ରତୀକ। ପୂର୍ବତନ ପଶ୍ଚିମବଙ୍ଗ ସରକାର ଶ୍ରୀକ୍ଷେତ୍ରର ଅଦ୍ୱିତୀୟ ମର୍ଯ୍ୟାଦାକୁ ଅଣଦେଖା କରି ଦୀଘା ମନ୍ଦିର ପରିସର ପାଇଁ ‘ଜଗନ୍ନାଥ ଧାମ’ ନାମ ବ୍ୟବହାର କରିବାକୁ ନେଇଥିବା ନିଷ୍ପତ୍ତି ସମଗ୍ର ବିଶ୍ୱର ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଗଭୀର ଭାବେ ଆଘାତ ଦେଇଥିଲା।
ବର୍ତ୍ତମାନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶ୍ରୀ ଶୁଭେନ୍ଦୁ ଅଧିକାରୀ ତାଙ୍କ ପୂର୍ବ ଘୋଷଣାକୁ କାର୍ଯ୍ୟକାରୀ କରି ଦୀଘା ମନ୍ଦିର ପରିସରରୁ ‘ଧାମ’ ଶବ୍ଦ ହଟାଇବା ନିଷ୍ପତ୍ତିର ଆନୁଷ୍ଠାନିକ ସ୍ୱୀକୃତି ସୁନିଶ୍ଚିତ କରିଛନ୍ତି। ଶ୍ରୀ ଅଧିକାରୀଙ୍କ ଏହି ସମ୍ବେଦନଶୀଳ ଓ ତ୍ୱରିତ ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତାଙ୍କୁ ସାଧୁବାଦ ଜଣାଇବା ସହିତ ଓଡ଼ିଶାର ସାଢ଼େ ଚାରି କୋଟି ଜନସାଧାରଣଙ୍କ ତରଫରୁ ପଶ୍ଚିମବଙ୍ଗ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହୁରି ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶା ଏବଂ ପଶ୍ଚିମବଙ୍ଗର ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତା ଓ ଗଠନମୂଳକ ସହଯୋଗ ଫଳରେ ଏହି ଐତିହାସିକ ସମାଧାନ ସମ୍ଭବ ହୋଇପାରିଛି। ଏହା ସନାତନ ସଂସ୍କୃତି, ପରମ୍ପରା ଏବଂ ଅଗଣିତ ଭକ୍ତଙ୍କ ଧାର୍ମିକ ଆସ୍ଥା ପ୍ରତି ଅତୁଟ ସମ୍ମାନକୁ ପ୍ରତିଫଳିତ କରୁଛି। ଏହି ନିଷ୍ପତ୍ତି ଭକ୍ତମାନଙ୍କୁ ସନ୍ତୁଷ୍ଟ କରିବା ସହିତ ପବିତ୍ର ଶ୍ରୀକ୍ଷେତ୍ରର ସ୍ୱତନ୍ତ୍ର ଆଧ୍ୟାତ୍ମିକ ଗାରିମାକୁ ଅକ୍ଷୁଣ୍ଣ ରଖିବ ଏବଂ ଦୁଇ ପଡ଼ୋଶୀ ରାଜ୍ୟ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଦୀର୍ଘଦିନର ସାଂସ୍କୃତିକ ସମ୍ପର୍କ, ପାରସ୍ପରିକ ସମ୍ମାନ ଓ ସଦ୍ଭାବକୁ ଆହୁରି ସୁଦୃଢ଼ କରିବ ବୋଲି ଉଭୟ ନେତୃତ୍ୱ ଆଶା ପ୍ରକାଶ କରିଛନ୍ତି। ଓଡ଼ିଆ ଅସ୍ମିତା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିମାକୁ ସର୍ବଦା ଅକ୍ଷୁଣ୍ଣ ରଖିବା ପାଇଁ ଓଡ଼ିଶା ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।


