ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ କ୍ୱାରେଣ୍ଟାଇନ୍ରେ ଥିବା ୫ଟି ଓରାଙ୍ଗଉଟାନ୍ ଶାବକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି। ବିଶେଷକରି ସେମାନଙ୍କ ହିମୋଗ୍ଲୋବିନ୍ ସ୍ତରରେ ସୁଧାର ଆସୁଥିବା ନେଇ ନନ୍ଦନକାନନ ଉପ-ନିର୍ଦ୍ଦେଶକ ପ୍ରଦୀପ୍ତ ମୀରାସେ ସୂଚନା ଦେଇଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟ ଉପରେ କଡ଼ା ନଜର ରଖାଯିବା ସହ ଆବଶ୍ୟକୀୟ ଡାକ୍ତରୀ ପରୀକ୍ଷା ନିରନ୍ତର କରାଯାଉଛି। ଏହି କ୍ରମରେ ସମସ୍ତ ୫ ଶାବକଙ୍କର ‘ସିବିସି’ (କମ୍ପ୍ଲିଟ ବ୍ଲଡ୍ କାଉଣ୍ଟ) ପରୀକ୍ଷା ଶେଷ ହୋଇଛି, ଯାହା ମାଧ୍ୟମରେ ରକ୍ତର ବିଭିନ୍ନ ମାନଦଣ୍ଡକୁ ଯାଞ୍ଚ କରାଯାଉଛି। ଏଥିସହ ‘M3’ ଶାବକର ହିମୋଗ୍ଲୋବିନ୍ ବୃଦ୍ଧି ପାଇଁ ‘ଏରିଥ୍ରୋପୋଇଟିନ୍’ ଇଞ୍ଜେକ୍ସନ ଦିଆଯାଉଛି। ହିମୋଗ୍ଲୋବିନ୍ ସ୍ତର ବଢ଼ିବା ସେମାନଙ୍କ ଆରୋଗ୍ୟର ଏକ ସକାରାତ୍ମକ ସଙ୍କେତ ବୋଲି ଡାକ୍ତରୀ ଟିମ୍ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ଭୋଗରାଇ ଅଞ୍ଚଳରୁ ଉଦ୍ଧାର କରାଯିବା ପରେ ଏହି ୫ ଓରାଙ୍ଗଉଟାନ୍ ଶାବକଙ୍କୁ ନନ୍ଦନକାନନ ଅଣାଯାଇଥିଲା। ସଂକ୍ରମଣ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟଜନିତ ସମସ୍ୟାରୁ ଦୂରରେ ରଖିବା ପାଇଁ ସେମାନଙ୍କୁ ସ୍ୱତନ୍ତ୍ର କ୍ୱାରେଣ୍ଟାଇନ୍ ସେଲ୍ରେ ରଖାଯାଇଛି। ବିଶେଷଜ୍ଞ ଡାକ୍ତରୀ ଟିମ୍ ସେମାନଙ୍କ ଖାଦ୍ୟପେୟ, ଆଚରଣ ଓ ଶାରୀରିକ ସ୍ଥିତିକୁ ନିୟମିତ ମନିଟର କରୁଛନ୍ତି। ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟ ସ୍ଥିତି ଭଲ ଥିବା ବେଳେ ଆଗାମୀ ଦିନରେ ମଧ୍ୟ ସେମାନଙ୍କ ବ୍ୟବହାର ଓ ଆହାର ଉପରେ କ୍ରମାଗତ ନଜର ରଖାଯିବ।


