ନ୍ୟୁୟର୍କ : ମିଳିତ ଜାତିସଂଘ ସାଧାରଣ ପରିଷଦ (ୟୁଏନଜିଏ) ଅଧିବେଶନରେ ଯୋଗଦେବାକୁ ନ୍ୟୁୟର୍କସ୍ଥିତ ୟୁଏନ୍ ମୁଖ୍ୟାଳୟରେ ପହଞ୍ଚିଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କୁ ଏକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଛି। ମୁଖ୍ୟାଳୟରେ ପ୍ରବେଶ ଓ ବାହାରିବା ସମୟରେ ସାମ୍ବାଦିକମାନେ ତାଙ୍କୁ କୁଖ୍ୟାତ ଆତଙ୍କବାଦୀ ହାଫିଜ୍ ସୟିଦ୍ ଏବଂ ପାକିସ୍ତାନର ଆତଙ୍କବାଦୀ ଆଶ୍ରୟଛଳନା ନେଇ ପ୍ରଶ୍ନ କରିଥିଲେ।
ସାମ୍ବାଦିକମାନେ ଶେହବାଜଙ୍କୁ ପଚାରିଥିଲେ, ’ପ୍ରଧାନମନ୍ତ୍ରୀ, ଆପଣ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା କେବେ ବନ୍ଦ କରିବେ?’ ଶେହବାଜ ଏହି ପ୍ରଶ୍ନର କୌଣସି ଉତ୍ତର ଦେଇନଥିଲେ। ବାହାରକୁ ଆସିବା ସମୟରେ ସାମ୍ବାଦିକମାନେ ପୁଣି ପଚାରିଥିଲେ ଯେ ପାକିସ୍ତାନ ହାଫିଜ୍ ସୟିଦ୍ ଉପରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ, କିନ୍ତୁ ଶେହବାଜ ପୁନର୍ବାର କୌଣସି ଉତ୍ତର ଦେଇନଥିଲେ। ତେବେ ଏହି ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନକୁ ଏଡ଼ାଇ ଦେଇ ଶେହବାଜ ଚୁପଚାପ୍ ଆଗକୁ ବଢ଼ିଯାଇଥିଲେ।
ହାଫିଜ୍ ସୟିଦ୍ ହେଉଛି ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବାର ମୁଖ୍ୟ। ଭାରତ ତାକୁ ୟୁଏପିଏ ଅଧୀନରେ ଆତଙ୍କବାଦୀ ଘୋଷଣା କରିଛି। ସେ ୨୬/୧୧ ମୁମ୍ବାଇ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ। ଭାରତର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଏପ୍ରିଲ ୨୦୨୫ର ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ରେ ହାଫିଜ୍କୁ ୮ମ ଅଭିଯୁକ୍ତ ଭାବେ ଦର୍ଶାଇବା ସହ ଏଥିରେ ପାକିସ୍ତାନ-ସ୍ଥିତ ଲସ୍କର ଆତଙ୍କବାଦୀଙ୍କ ପ୍ରତ୍ୟକ୍ଷ ଭୂମିକା ଥିବା ଦର୍ଶାଇଛି।
୧୯୮୭ ମସିହାରେ ଓସାମା ବିନ୍ ଲାଡେନ୍ଙ୍କ ଗୁରୁ ଅବଦୁଲ୍ଲା ଅଜ୍ଜାମ୍ ଓ ତାଙ୍କ ସହଯୋଗୀମାନେ ‘ମରକଜ୍-ଅଦ୍-ଦାୱା-ୱଲ୍-ଇରସାଦ୍’ ନାମକ ଧାର୍ମିକ ସଂଗଠନ ଗଠନ କରିଥିଲେ। ୧୯୮୯ ବେଳକୁ ଏହା ଏକ ସାମରିକ ବାହିନୀ ‘ଲସ୍କର-ଏ-ତୋଏବା’ର ରୂପ ନେଇଥିଲା। ପ୍ରାରମ୍ଭରେ ଆଫଗାନିସ୍ତାନରେ ସୋଭିଏତ୍ ସେନା ବିରୋଧରେ ଲଢ଼ୁଥିବା ଏହି ସଂଗଠନ, ୧୯୮୯ରେ ସୋଭିଏତ୍ ସେନା ପ୍ରତ୍ୟାହାର ପରେ ଜମ୍ମୁ-କାଶ୍ମୀରକୁ ନିଜର ମୁଖ୍ୟ ଲକ୍ଷ୍ୟ ବନାଇଥିଲା। ସେହି ବର୍ଷ ପେଶାୱର ବୋମା ବିସ୍ଫୋରଣରେ ଅବଦୁଲ୍ଲା ଅଜ୍ଜାମ୍ଙ୍କ ମୃତ୍ୟୁ ପରେ ହାଫିଜ୍ ସୟିଦ୍ ଏହି ଆତଙ୍କୀ ସଂଗଠନର କମାଣ୍ଡ୍ ସମ୍ଭାଳିଥିଲା।


