ପୁରୀ: ବଙ୍ଗୋପସାଗରରେ ସୃଷ୍ଟ ଅବପାତ/ଅତିଗଭୀର ଅବପାତ ପ୍ରଭାବରେ ପୁରୀ ସମୁଦ୍ର ଅତିମାତ୍ରାରେ ଅଶାନ୍ତ ହୋଇପଡ଼ିଛି। ସମୁଦ୍ରରେ ୨ ରୁ ୩ ଫୁଟ୍ରୁ ଅଧିକ ଉଚ୍ଚର ଭୟଙ୍କର ଲହଡ଼ି ମାଡ଼ ହୋଇ କୂଳକୁ ମାଡ଼ି ଆସୁଥିବାରୁ ଜନବସତି ଓ ବାଲୁକା ବେଳାଭୂମି ଗୁରୁତର ଭାବେ ପ୍ରଭାବିତ ହୋଇଛି। ସମୁଦ୍ରର ଅତଡ଼ା ଖସିବା ସହ ଉଚ୍ଚ ଢେଉ ବେଳାଭୂମିରେ ଥିବା ଏକାଧିକ ଅସ୍ଥାୟୀ ଦୋକାନବଜାରକୁ ଭସାଇ ନେଇଛି। ସ୍ୱର୍ଗଦ୍ୱାର, ଲାଇଟ୍ହାଉସ୍, ବଳିଆପଣ୍ଡା ଏବଂ ସିପସରୁବାଲି ଭଳି ଗୁରୁତ୍ୱପୂର୍ଣ୍ଣ ସମୁଦ୍ରକୂଳିଆ ଅଞ୍ଚଳରେ ସମୁଦ୍ର କ୍ରମାଗତ ଭାବେ କୂଳ ଲଙ୍ଘୁଛି। ବଳିଆପଣ୍ଡାରୁ ସିପସରୁବାଲି ପର୍ଯ୍ୟନ୍ତ ପ୍ରାୟ ୧ କିଲୋମିଟର ବ୍ୟାପୀ ଅଞ୍ଚଳରେ କ୍ରମାଗତ ସମୁଦ୍ର ଅବକ୍ଷୟ ଦେଖାଦେଇଛି। ଲାଇଟ୍ ହାଉସ୍ ପାର୍ଶ୍ୱରୁ ମଙ୍ଗଳା ମୁହାଣ ଦିଗକୁ କୂଳର ବାଲି ଅତଡ଼ା ପ୍ରବଳ ମାତ୍ରାରେ ଖସିବାରେ ଲାଗିଛି। ସମୁଦ୍ର ଏବେ ଜନବସତି ଓ ହୋଟେଲଗୁଡ଼ିକଠାରୁ ମାତ୍ର ୨୦୦ ରୁ ୩୦୦ ମିଟର ଦୂରରେ ରହିଥିବାରୁ ସ୍ଥାନୀୟ ବାସିନ୍ଦା, ବ୍ୟବସାୟୀ ଓ ପର୍ଯ୍ୟଟକଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି।


