କାଠମାଣ୍ଡୁ: ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ନେପାଳରେ ପୁଣି ଏକ ବଡ଼ ଦୁର୍ଘଟଣା ଘଟିଛି। ପଶ୍ଚିମ ନେପାଳର ମାନାଙ୍ଗ ଜିଲ୍ଲାରେ ଥିବା ୭,୧୨୬ ମିଟର ଉଚ୍ଚ ହିମଲୁଙ୍ଗ ହିମାଳୟର ବେସ୍ କ୍ୟାମ୍ପ୍ରେ ଆଜି ସକାଳେ ଏକ ବଡ଼ ଧରଣର ହିମସ୍ଖଳନ ହୋଇଛି। ତିବ୍ଦତ ସୀମା ନିକଟରେ ଘଟିଥିବା ଏହି ଅଭାବନୀୟ ଘଟଣାରେ ପର୍ବତାରୋହଣ ଅଭିଯାନ ସହ ଜଡ଼ିତ ଅନ୍ତତଃ ୧୦ ଜଣ କର୍ମଚାରୀ ଓ ପର୍ବତାରୋହୀ ନିଖୋଜ ହୋଇଯାଇଛନ୍ତି।
ଅଭିଯାନ ଆୟୋଜକ ମିଙ୍ଗମା ଗ୍ୟାଲଜେ ଶେର୍ପାଙ୍କ ସୂଚନା ଅନୁଯାୟୀ, ରବିବାର ସକାଳେ ହଠାତ୍ ପାହାଡ଼ରୁ ବରଫର ବଡ଼ ପାହାଡ଼ ଖସିପଡ଼ି ବେସ୍ କ୍ୟାମ୍ପ୍ରେ ଥିବା ତମ୍ବୁଗୁଡ଼ିକୁ ପୋତି ପକାଇଥିଲା। ନିଖୋଜ ଲୋକଙ୍କ ମଧ୍ୟରେ ତାଙ୍କ ସଂସ୍ଥାର ଦୁଇ ଜଣ ରୋଷେଇ କର୍ମଚାରୀ ଓ ଅନ୍ୟାନ୍ୟ ଅଭିଯାନ କମ୍ପାନିର ସଦସ୍ୟ ରହିଛନ୍ତି।
ଗତ ସପ୍ତାହରେ ପାଣିପାଗ ବିଭାଗ ପକ୍ଷରୁ ସତର୍କସୂଚନା ଜାରି କରାଯିବା ପରେ ଅଧିକାଂଶ ପର୍ବତାରୋହୀ ଓ ଦଉଡ଼ି ବାନ୍ଧୁଥିବା ଦଳ ପାହାଡ଼ର ଉପରିଭାଗରୁ ତଳକୁ ଓହ୍ଲାଇ ଆସିଥିଲେ। ତେବେ ଖରାପ ପାଗ ସତ୍ତ୍ୱେ କିଛି କର୍ମଚାରୀ ଓ ସଦସ୍ୟ ବେସ୍ କ୍ୟାମ୍ପ୍ରେ ରହିଯାଇଥିଲେ। ଗତ କିଛି ଦିନ ହେବ ସେହି ସ୍ଥାନରେ କ୍ରମାଗତ ଭାବେ ପ୍ରବଳ ତୁଷାରପାତ ଜାରି ରହିଥିବାରୁ ଶରତକାଳୀନ ପର୍ବତାରୋହଣ ଅଭିଯାନକୁ ସ୍ଥଗିତ ରଖି ପର୍ବତାରୋହୀମାନଙ୍କୁ ପଛକୁ ହଟିବାକୁ ବାଧ୍ୟ ହେବାକୁ ପଡ଼ିଥିଲା।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ/ଡିପ୍ରେସନ୍ ପ୍ରଭାବରେ ନେପାଳର ପାର୍ବତ୍ୟାଞ୍ଚଳରେ ଅତ୍ୟାଧିକ ତୁଷାରପାତ ଏବଂ ନିମ୍ନ ଭୂଭାଗରେ ପ୍ରବଳ ବର୍ଷା ଜାରି ରହିଛି। ଶୁକ୍ରବାରଠାରୁ ବିଗିଡ଼ିଥିବା ପାଣିପାଗ ଯୋଗୁଁ ଅନେକ ସ୍ଥାନରେ ଭୂସ୍ଖଳନ ହୋଇ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେହିପରି ଦୁର୍ଗମ ଭୂଗୋଳ ସହ ହେଲିକପ୍ଟର ଉଡ଼ାଣ ପାଇଁ ସ୍ୱତନ୍ତ୍ର ଅନୁମତିର ଆବଶ୍ୟକତା ଥିବାରୁ ପ୍ରବଳ କୁହୁଡ଼ି ଓ ପ୍ରତିକୂଳ ପାଗ ମଧ୍ୟରେ ଉଦ୍ଧାର କାର୍ଯ୍ୟ ଅତ୍ୟନ୍ତ ଜଟିଳ ହୋଇପଡ଼ିଛି। ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ନେପାଳ ପର୍ଯ୍ୟଟନ ବିଭାଗ ପକ୍ଷରୁ ମନସାଲୁ, ଧବଳଗିରି ସହ ଅନ୍ୟାନ୍ୟ ପ୍ରମୁଖ ପର୍ବତାରୋହଣ ଓ ଟ୍ରେକିଂ କାର୍ଯ୍ୟକଳାପକୁ ତୁରନ୍ତ ବନ୍ଦ ରଖିବାକୁ ପରାମର୍ଶ ଜାରି କରାଯାଇଛି।


