ଚେନ୍ନାଇ: କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ସଂସଦୀୟ କ୍ଷେତ୍ର ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟାକୁ ସଂସଦରେ କଡ଼ା ବିରୋଧ କରିବା ପାଇଁ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ପକ୍ଷରୁ ଜୋରଦାର କସରତ ଆରମ୍ଭ ହୋଇଛି। ଏହି କ୍ରମରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ବିରୋଧୀ ମେଣ୍ଟର ଅନ୍ୟ ବରିଷ୍ଠ ନେତାମାନେ ରବିବାର ଚେନ୍ନାଇରେ ପହଞ୍ଚିଛନ୍ତି। ସେମାନେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦ୍ରାବିଡ଼ ମୁନେତ୍ରା କାଝଗମ୍ (ଡିଏମ୍କେ) ମୁଖ୍ୟ ଏମ୍.କେ. ଷ୍ଟାଲିନଙ୍କୁ ଭେଟି ଏହି ପ୍ରସଙ୍ଗରେ ସମର୍ଥନ ଲୋଡ଼ିଛନ୍ତି। ଚେନ୍ନାଇ ଗସ୍ତ ଶେଷ କରି ଏହି ନେତାମାନେ ରବିବାର ସନ୍ଧ୍ୟାରେ ମୁମ୍ବାଇ ଯାଇ ଏନ୍ସିପି ମୁଖ୍ୟ ଶରଦ ପାୱାରଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି।
ଆସନ୍ତା ନଭେମ୍ବର ୩୦ ତାରିଖରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନରେ କେନ୍ଦ୍ର ସରକାର ସୀମା ପୁନଃନିର୍ଦ୍ଧାରଣ ଏବଂ ମହିଳା ସଂରକ୍ଷଣ ସମ୍ପର୍କିତ ସଂଶୋଧିତ ବିଧେୟକ ଆଗତ କରିବାକୁ ଯାଉଛନ୍ତି। ପ୍ରସ୍ତାବିତ ବିଧେୟକ ପ୍ୟାକେଜ୍ରେ ସମ୍ବିଧାନ (୧୩୨ତମ ସଂଶୋଧନ) ବିଲ୍-୨୦୨୬, ସୀମା ପୁନଃନିର୍ଦ୍ଧାରଣ (ଦ୍ୱିତୀୟ) ବିଲ୍-୨୦୨୬ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଆଇନରେ ସଂଶୋଧନ ଅନ୍ତର୍ଭୁକ୍ତ ରହିଛି। ଏହି ପ୍ରସ୍ତାବ ଅନୁଯାୟୀ ଲୋକସଭାର ସର୍ବାଧିକ ଆସନ ସଂଖ୍ୟା ୮୫୦କୁ ବୃଦ୍ଧି କରାଯିବ, ଯେଉଁଥିରେ ବିଭିନ୍ନ ରାଜ୍ୟରୁ ୮୧୫ ଜଣ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ୩୫ ଜଣ ସଦସ୍ୟ ରହିବେ। ସଂସଦରେ ଏହି ବିଲ୍କୁ ପରାସ୍ତ କରିବା ପାଇଁ ବିରୋଧୀ ଦଳଗୁଡ଼ିକ ଏକଜୁଟ ହେବାରେ ଲାଗିଛନ୍ତି।
ଚେନ୍ନାଇ ଗସ୍ତ ପୂର୍ବରୁ ରାହୁଲ ଗାନ୍ଧୀ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ଷ୍ଟାଲିନଙ୍କୁ ବିରୋଧୀ ମେଣ୍ଟ ସହ ହାତ ମିଳାଇବାକୁ ଆହ୍ୱାନ ଦେଇଥିଲେ। ରାହୁଲ ଲେଖିଥିଲେ ଯେ, ସୀମା ପୁନଃନିର୍ଦ୍ଧାରଣ ସମ୍ପର୍କିତ ସାମ୍ବିଧାନିକ ସଂଶୋଧନ ବିଲ୍କୁ ବିରୋଧ କରିବା ପାଇଁ ସେ ଏବଂ ବିରୋଧୀ ମେଣ୍ଟର ବରିଷ୍ଠ ନେତାମାନେ ଚେନ୍ନାଇ ଯାଇ ଷ୍ଟାଲିନଙ୍କୁ ଅନୁରୋଧ କରିବେ। ଲୋକସଭାର ଆସନ ସଂଖ୍ୟା ୮୫୦କୁ ବୃଦ୍ଧି କରାଗଲେ ଏହା ଭାରତୀୟ ଗଣତନ୍ତ୍ରକୁ ଶେଷ କରିଦେବ ବୋଲି ସେ ଚେତାବନୀ ଦେଇଛନ୍ତି। ଏହାଦ୍ୱାରା ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍) ନିଜ ରାଜନୈତିକ ସ୍ୱାର୍ଥ ଅନୁଯାୟୀ ଦେଶର ନିର୍ବାଚନୀ ମାନଚିତ୍ରକୁ ପୁନଃନିର୍ମାଣ କରିବାର ଅସୀମ ସୁଯୋଗ ପାଇବେ ବୋଲି ରାହୁଲ ଅଭିଯୋଗ କରିଛନ୍ତି। ଷ୍ଟାଲିନ ସର୍ବଦା ତାମିଲ ବିରୋଧୀ ଶକ୍ତିଙ୍କ ବିରୋଧରେ ପଥର ଭଳି ଛିଡ଼ା ହୋଇଛନ୍ତି ଏବଂ ଜାତୀୟ ସ୍ୱାର୍ଥ, ତାମିଲନାଡୁର ସ୍ୱାର୍ଥ ତଥା ସମ୍ବିଧାନର ସୁରକ୍ଷା ପାଇଁ ସମସ୍ତେ ମିଳିମିଶି ଏହି ବିଲ୍କୁ ପରାସ୍ତ କରିବାକୁ ହେବ ବୋଲି ସେ ଉଲ୍ଲେଖ କରିଥିଲେ।
ଅନ୍ୟପକ୍ଷରେ ରାହୁଲ ଗାନ୍ଧୀଙ୍କ ଏହି ପୋଷ୍ଟର ଉତ୍ତର ଦେଇ ଏମ୍.କେ. ଷ୍ଟାଲିନ ସମ୍ବିଧାନ ଏବଂ ରାଜ୍ୟଗୁଡ଼ିକର ଅଧିକାରର ସୁରକ୍ଷା କ୍ଷେତ୍ରରେ ଡିଏମ୍କେର ଐତିହାସିକ ଭୂମିକାକୁ ସ୍ୱୀକାର କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଷ୍ଟାଲିନ ସ୍ପଷ୍ଟ କରିଛନ୍ତି ଯେ, ଏହି ନୀତିଗତ ପଥରୁ ତାଙ୍କ ଦଳ କେବେ ବି ସାଲିସ କରିବ ନାହିଁ। କୌଣସି ନିଷ୍ପତ୍ତି ନେବା ସମୟରେ ଡିଏମ୍କେ ସର୍ବଦା ତାମିଲନାଡୁ ଏବଂ ଏହାର ଜନସାଧାରଣଙ୍କ ସ୍ୱାର୍ଥକୁ ସର୍ବାଧିକ ପ୍ରାଥମିକତା ଦେଇଆସିଛି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।


