ଭୁବନେଶ୍ୱର: ରାଜଧାନୀରେ ଅପରାଧୀଙ୍କ ମଧ୍ୟରେ ବନ୍ଧୁକର ଚାହିଦା ବଢ଼ୁଛି ନା ବନ୍ଧୁକ ବେପାରୀଙ୍କ ନେଟୱର୍କ ଅଧିକ ସକ୍ରିୟ ହୋଇପଡ଼ିଛି? ଗୋଟିଏ ପରେ ଗୋଟିଏ ବନ୍ଧୁକ ଜବତ ଘଟଣା ଏବେ ଏଭଳି ପ୍ରଶ୍ନ ସୃଷ୍ଟି କରିଛି। ରବିବାର ସକାଳେ ଭୁବନେଶ୍ୱରର ଜନଗହଳିପୂର୍ଣ୍ଣ ମାଷ୍ଟରକ୍ୟାଣ୍ଟିନ୍ ଅଞ୍ଚଳରୁ ଏକ ବଡ଼ ଧରଣର ବେଆଇନ ବନ୍ଧୁକ କାରବାରକୁ ପଣ୍ଡ କରିଛି ସ୍ପେଶାଲ କ୍ରାଇମ୍ ୟୁନିଟ୍। ବନ୍ଧୁକ ହସ୍ତାନ୍ତର ହେବା ପୂର୍ବରୁ ଅଭିଯୁକ୍ତ ହରେକୃଷ୍ଣ ସ୍ୱାଇଁକୁ କାବୁ କରିଛି ପୁଲିସ।
ସୂଚନା ଅନୁସାରେ, ବ୍ରହ୍ମପୁରର ଜଣେ ଅପରାଧୀଙ୍କୁ ବନ୍ଧୁକ ଯୋଗାଇବା ଉଦ୍ଦେଶ୍ୟରେ ହରେକୃଷ୍ଣ ଭୁବନେଶ୍ୱର ଆସିଥିଲା। ତେବେ ତା’ର ଗତିବିଧି ଉପରେ ପୂର୍ବରୁ ନଜର ରଖିଥିଲା ସ୍ପେଶାଲ କ୍ରାଇମ୍ ୟୁନିଟ୍। ଯୋଜନା ମୁତାବକ ମାଷ୍ଟରକ୍ୟାଣ୍ଟିନ୍ରେ ବନ୍ଧୁକ ଡେଲିଭରି ହେବାକୁ ଥିବାବେଳେ ଠିକ୍ ସମୟରେ ପହଞ୍ଚି ତାକୁ ଧରିଥିଲା ସ୍ୱତନ୍ତ୍ର ପୁଲିସ ଟିମ୍। ତା’ ନିକଟରୁ ଦୁଇଟି ବନ୍ଧୁକ ଓ ଚାରିଟି ଅଫୁଟା ଗୁଳି ଜବତ କରାଯାଇଛି।
ତେବେ ହରେକୃଷ୍ଣ ପାଇଁ ଏହା ପ୍ରଥମ ଅପରାଧିକ ଘଟଣା ନୁହେଁ। ତା’ ନାଁରେ ୨୦ରୁ ଅଧିକ ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି। ୨୦୧୯ରେ ଭୁବନେଶ୍ୱରର ରସୁଲଗଡ଼ ଅଞ୍ଚଳରେ ଜଣେ ହୋଟେଲ ମାଲିକଙ୍କୁ ଆକ୍ରମଣ ଘଟଣାରେ ପୁଲିସ ତାକୁ ଏନ୍କାଉଣ୍ଟର କରିଥିଲା। ପରବର୍ତ୍ତୀ ସମୟରେ ଜାମିନରେ ମୁକୁଳିବା ପରେ ପୁଣି ଅପରାଧ ଓ ବନ୍ଧୁକ କାରବାରରେ ସେ ସମ୍ପୃକ୍ତ ହୋଇଥିବା ଅଭିଯୋଗ ହୋଇଛି।
ଏବେ ପୁଣି ବନ୍ଧୁକ ଚାଲାଣ ଅଭିଯୋଗରେ ପୁଲିସ ହାତରେ ଧରାପଡ଼ିବା ପରେ ଏହି କାରବାରର ଚେର ଖୋଜିବା ଆରମ୍ଭ ହୋଇଛି। ବ୍ରହ୍ମପୁରରେ ବନ୍ଧୁକ ନେବାକୁ ଥିବା ଅପରାଧୀ କିଏ? ଏହି ବନ୍ଧୁକ କେଉଁଠୁ ଆସିଥିଲା? ଏହା ପଛରେ କୌଣସି ବଡ଼ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ଗ୍ୟାଙ୍ଗ୍ ସକ୍ରିୟ ଅଛି କି? ଏଭଳି ଅନେକ ଦିଗକୁ ନେଇ ତଦନ୍ତର ଗୁରୁତ୍ୱ ବଢ଼ିଛି। ଗୋଟିଏ କଥା ସ୍ପଷ୍ଟ, ରାଜଧାନୀରେ ବନ୍ଧୁକ ବେପାର ରୋକିବା ପୁଲିସ ପାଇଁ ଏବେ ବଡ଼ ଚ୍ୟାଲେଞ୍ଜ।


