ଭୁବନେଶ୍ୱର: ମହାନଦୀରେ ପୁଣି ଏକ ଛୋଟ ଧରଣର ବନ୍ୟା ଆସୁଥିବାରୁ ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଆସନ୍ତାକାଲି ଅର୍ଥାତ ସୋମବାର ସକାଳଠାରୁ ପ୍ରାୟ ୨୪ ଘଣ୍ଟା ପର୍ଯ୍ୟନ୍ତ ବିଭିନ୍ନ ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିବାର ଆଶଙ୍କା ରହିଛି। ଉପରମୁଣ୍ଡରେ ଲଗାଣ ବର୍ଷା ପରେ ମହାନଦୀର ଜଳସ୍ତର ବୃଦ୍ଧି ପାଇଥିବା ବେଳେ ହିରାକୁଦରେ ବଢ଼ୁଥିବା ଜଳ ପ୍ରବେଶକୁ ନିୟନ୍ତ୍ରଣ କରିବା ପାଇଁ ୨୮ଟି ଗେଟ୍ ଖୋଲାଯାଇଛି।
ଏବେ ସମସ୍ତଙ୍କ ନଜର କଟକ ମୁଣ୍ଡଳୀ ଉପରେ ରହିଛି। ରବିବାର ରାତିରୁ ସୋମବାର ସକାଳ ଭିତରେ ମୁଣ୍ଡଳୀରେ ପ୍ରାୟ ୮ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ବୋଲି ଆକଳନ କରାଯାଇଛି। ଏହାଯୋଗୁଁ ମହାନଦୀର ବିଭିନ୍ନ ଶାଖା ନଦୀରେ ଛୋଟ ଧରଣର ବନ୍ୟା ଆସିବ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ମହାନଦୀରେ ଏହା ଚତୁର୍ଥ ଛୋଟ ବନ୍ୟା। ଜଳପ୍ରବାହ ବୃଦ୍ଧି ପାଇଲେ କଟକ, ଖୋର୍ଦ୍ଧା, ପୁରୀ ଓ କେନ୍ଦ୍ରାପଡ଼ାର ତଳିଆ ଅଞ୍ଚଳ ସମେତ ବାଙ୍କୀ, ବଡ଼ମ୍ବା, ଆଠଗଡ଼, କାକଟପୁର, କଣାସ, ନିମାପଡ଼ା, ଗୋପ, ଏରସମା, ବାଲିକୁଦା ଓ ପାଟକୁରାରେ ଜଳବନ୍ଦୀ ସ୍ଥିତି ଦେଖାଦେଇପାରେ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସୂଚନା ଦେଇଛନ୍ତି।
ଲଘୁଚାପ ପ୍ରଭାବରେ ଓଡ଼ିଶା ସମେତ ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ବର୍ଷା ହେବା ପରେ ନଦୀକୁ ଆସୁଥିବା ଜଳ ପରିମାଣ ବୃଦ୍ଧି ପାଇଛି। ଏହାର ପ୍ରଭାବରେ ହିରାକୁଦ ଜଳଭଣ୍ଡାରରେ ମଧ୍ୟ ଜଳସ୍ତର ବୃଦ୍ଧି ପାଉଛି। ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଅନୁସାରେ, ହିରାକୁଦରେ ଜଳସ୍ତର ୬୨୮.୧୯ ଫୁଟ ରହିଛି ଏବଂ ୨୮ଟି ଗେଟ୍ ଖୋଲାଯାଇଛି। ଆବଶ୍ୟକତା ଅନୁସାରେ ସୋମବାର ଆଉ କିଛି ଗେଟ୍ ଖୋଲାଯାଇପାରେ। ହିରାକୁଦ ଡ୍ୟାମ୍ରୁ ନିଷ୍କାସିତ ପାଣିରେ ତେଲ ନଦୀର ପାଣି ମିଶିବା ଫଳରେ ରବିବାର ରାତି ସୁଦ୍ଧା କଟକ ମୁଣ୍ଡଳୀରେ ୭ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ। ଏହି ପରିମାଣ ଧୀରେ ଧୀରେ ବଢ଼ି ସୋମବାର ସକାଳ ୧୦ଟା ସୁଦ୍ଧା ୮ ଲକ୍ଷ କ୍ୟୁସେକରେ ପହଞ୍ଚିବ।
ଫଳରେ ମହାନଦୀ ଓ ଏହାର ଶାଖା ନଦୀଗୁଡ଼ିକରେ ଛୋଟ ଧରଣର ବନ୍ୟା ସ୍ଥିତି ଉପୁଜିବ। ମହାନଦୀର ଶାଖା ନଦୀ ଲୁଣା, କରାଣ୍ଡିଆ, ଚିତ୍ରୋତ୍ପଳା, କାଠଯୋଡ଼ି, କୁଆଖାଇ, ଦେବୀ, ଦୟା, ଭାର୍ଗବୀ, ରାଜୁଆ ଓ ମକରାରେ ବନ୍ୟାଜଳ ଆସିବ। ଏହା ଫଳରେ ଖୋର୍ଦ୍ଧା, କଟକ, ପୁରୀ ଓ ଜଗତସିଂହପୁର ଜିଲ୍ଲାର ତଳିଆ ଅଞ୍ଚଳ ପ୍ରଭାବିତ ହେବ। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଓ ଗରଦପୁର ମଧ୍ୟ ବନ୍ୟାରେ ପ୍ରଭାବିତ ହୋଇପାରେ। ବାଙ୍କୀ, ବଡ଼ମ୍ବା, ଆଠଗଡ଼, କଣାସ, ନିମାପଡ଼ା, ଗୋପ, ଏରସମା, ବାଲିକୁଦା ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିବାର ଆଶଙ୍କା ରହିଛି।
ଗତ ଜୁଲାଇ ୩୦ ତାରିଖରେ ଆସିଥିବା ବନ୍ୟା ବେଳେ ମୁଣ୍ଡଳୀରେ ୮.୯ ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହୋଇଥିବା ବେଳେ ଏଥର ଏହାକୁ ୮ ଲକ୍ଷ କ୍ୟୁସେକ ମଧ୍ୟରେ ସୀମିତ ରଖିବାକୁ ଚେଷ୍ଟା କରାଯାଉଥିବା ସର୍ବୋଚ୍ଚ ଯନ୍ତ୍ରୀ ପ୍ରକାଶ କରିଛନ୍ତି। ଅନ୍ୟପଟେ ମହାନଦୀର ଶାଖା ନଦୀ ଦେବୀ ଓ ପାଇକାରେ ବନ୍ୟାପାଣି ବଢ଼ିବା ପରେ ଜଗତସିଂହପୁର ଜିଲ୍ଲାର ନଈକୂଳିଆ ଲୋକଙ୍କ ମଧ୍ୟରେ ଆତଙ୍କ ପ୍ରକାଶ ପାଇଛି। କିଛି ଦିନ ତଳେ ଆସିଥିବା ବନ୍ୟାରେ ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକର ବହୁ ଅଞ୍ଚଳ ଜଳବନ୍ଦୀ ହୋଇଥିଲା। ବନ୍ୟା ପ୍ଲାବିତ ଲୋକମାନେ କିଛିଦିନ ତଳେ ନିଜ ଘର ସଜାଡ଼ି ଫେରିଥିବା ବେଳେ ପୁଣି ଥରେ ବନ୍ୟା ଆସୁଥିବାରୁ ଭୟଭୀତ ହୋଇପଡ଼ିଛନ୍ତି।


