ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ଓ ଗୁପ୍ତ ସେବା ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ନୀତି ଅନୁଷ୍ଠିତ ହେବାକୁ ଯାଉଛି। ବୁଧବାର ଅର୍ଥାତ୍ ଆଶ୍ୱିନ କୃଷ୍ଣ ଚତୁର୍ଥୀ ତିଥିରେ ଶ୍ରୀବିଗ୍ରହମାନଙ୍କର ଏହି ନୀତି ସମ୍ପାଦନ କରାଯିବ। ଏହି ଗୁପ୍ତ ନୀତି କାନ୍ତି ପାଇଁ ଆସନ୍ତାକାଲି ସନ୍ଧ୍ୟାରେ ଦୀର୍ଘ ୪ ଘଣ୍ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଶ୍ରୀମନ୍ଦିର ନୀତିକାନ୍ତି ଅନୁସାରେ, ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଏହି ସ୍ୱତନ୍ତ୍ର ବନକଲାଗି ସେବା ଆରମ୍ଭ ହେବ। ଏହି ଅବସରରେ ଦତ୍ତମହାପାତ୍ର ସେବକମାନେ ଠାକୁରମାନଙ୍କ ଶ୍ରୀମୁଖ ଶୃଙ୍ଗାର କରିବା ପାଇଁ ଗର୍ଭଗୃହକୁ ପ୍ରବେଶ କରିବେ। ବନକଲାଗି ହେଉଛି ଶ୍ରୀବିଗ୍ରହମାନଙ୍କର ଏକ ପ୍ରାକୃତିକ ପ୍ରସାଧନ ପ୍ରକ୍ରିୟା, ଯାହା ଦ୍ୱାରା ଠାକୁରଙ୍କ ଶ୍ରୀଅଙ୍ଗର ଶ୍ରୀବୃଦ୍ଧି ଘଟିଥାଏ। ଏହି ବିଶେଷ ନୀତି ପାଇଁ ସମ୍ପୂର୍ଣ୍ଣ ପ୍ରାକୃତିକ ରଙ୍ଗ ଓ ଦ୍ରବ୍ୟ ଯଥା- ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୂର, କଇଥ ଅଠା, କସ୍ତୁରୀ ଏବଂ କଳା ଆଦି ବ୍ୟବହାର କରାଯାଇଥାଏ।
ଏହି ସେବା ଅତ୍ୟନ୍ତ ଗୁପ୍ତ ଓ ସୂକ୍ଷ୍ମ ହୋଇଥିବାରୁ ଗର୍ଭଗୃହରେ ଦତ୍ତମହାପାତ୍ର ସେବକମାନେ କାର୍ଯ୍ୟରତ ଥିବା ସମୟରେ ଅନ୍ୟ କାହାର ପ୍ରବେଶ ନିଷେଧ ରହିଥାଏ। ସେଥିପାଇଁ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଧାରଣ ଯାତ୍ରୀ ଓ ଭକ୍ତଙ୍କ ପାଇଁ ଶ୍ରୀଜିଉଙ୍କ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରହିବ। ବନକଲାଗି ନୀତି ସମ୍ପୂର୍ଣ୍ଣ ହେବା ପରେ ଏବଂ ମହାପ୍ରଭୁଙ୍କ ମହାସ୍ନାନ ଓ ଅନ୍ୟାନ୍ୟ ନୀତି ଶେଷ ହେବା ପରେ ପୁନର୍ବାର ସାଧାରଣ ଦର୍ଶନ ସ୍ୱାଭାବିକ ହେବ। ଭକ୍ତମାନେ ଏହି ନୀତି ନିଘଣ୍ଟକୁ ଧ୍ୟାନରେ ରଖି ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସିବାକୁ ଅନୁରୋଧ କରାଯାଇଛି।


