ବାଲେଶ୍ଵର: ବାଲେଶ୍ଵର ସହରର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ନୂଆସାହି ଛକ ନିକଟରେ ଥିବା ଏକ ପ୍ରମୁଖ ବାଇକ୍ ସୋ’ରୁମ୍ (ହିରୋ ପ୍ରିମିୟମ୍ ସୋ’ରୁମ୍)ରେ ଆଜି ସକାଳେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁର ପ୍ରକୋପ ଏତେ ପ୍ରବଳ ଥିଲା ଯେ ଦେଖୁ ଦେଖୁ ସୋ’ରୁମ୍ ଭିତରେ ଥିବା ବାହନଗୁଡ଼ିକୁ ନିଜ କବଜାକୁ ନେଇଯାଇଥିଲା। ଏହି ଅଗ୍ନିକାଣ୍ଡରେ ସୋ’ରୁମ୍ରେ ରଖାଯାଇଥିବା ୧୦ରୁ ଊର୍ଦ୍ଧ୍ୱ ନୂଆ ବାଇକ୍, ବହୁ ପରିମାଣର ସ୍ପେୟାର ପାର୍ଟସ୍, ଚେୟାର-ଟେବୁଲ୍, ସୋଫା ଏବଂ ଅନ୍ୟାନ୍ୟ ଆସବାବପତ୍ର ଜଳିପୋଡ଼ି ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି। ପ୍ରାଥମିକ ଆକଳନ ଅନୁଯାୟୀ ଏହି ଦୁର୍ଘଟଣାରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି। ଖବର ପାଇବା କ୍ଷଣି ସ୍ଥାନୀୟ ଅଗ୍ନିଶମ ବାହିନୀର ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ କଠିନ ପରିଶ୍ରମ କରିଥିଲେ ଏବଂ ନିଆଁକୁ ଅନ୍ୟ ପାଖ ଦୋକାନଗୁଡ଼ିକୁ ବ୍ୟାପିବାରୁ ରୋକିବାରେ ସଫଳ ହୋଇଛନ୍ତି।


