ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (କ୍ରୁଡ୍ ଅଏଲ୍) ମୂଲ୍ୟ ବୃଦ୍ଧି ପାଇବା ପରେ ବେସରକାରୀ ତୈଳ କମ୍ପାନୀ ‘ନାୟରା ଏନର୍ଜି’ ଖାଉଟିଙ୍କୁ ବଡ଼ ଝଟ୍କା ଦେଇଛି। କମ୍ପାନୀ ପକ୍ଷରୁ ପେଟ୍ରୋଲ ମୂଲ୍ୟରେ ଲିଟର ପିଛା ୫ ଟଙ୍କା ଏବଂ ଡିଜେଲରେ ୩ ଟଙ୍କା ବୃଦ୍ଧି କରାଯାଇଛି। ବର୍ଦ୍ଧିତ ମୂଲ୍ୟ ଲାଗୁ ହେବା ପରେ ଭୋପାଳରେ ନାୟରା ଆଉଟ୍ଲେଟ୍ରେ ପେଟ୍ରୋଲ ଲିଟର ପିଛା ୧୧୯.୫୪ ଟଙ୍କା ଏବଂ ଡିଜେଲ ୧୦୨.୬୪ ଟଙ୍କାରେ ପହଞ୍ଚିଛି। ଅନ୍ତର୍ଜାତୀୟ ବଜାରରେ କ୍ରୁଡ୍ ଅଏଲ୍ ଦର ବଢ଼ିବା ଯୋଗୁଁ ଖୁଚୁରା ବିକ୍ରି ମୂଲ୍ୟ ଏବଂ ବଢ଼ୁଥିବା ପରିଚାଳନା ଖର୍ଚ୍ଚ ମଧ୍ୟରେ ଥିବା ବ୍ୟବଧାନକୁ କମାଇବା ପାଇଁ କମ୍ପାନୀ ଏହି ନିଷ୍ପତ୍ତି ନେଇଛି।
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଆରମ୍ଭରେ ଇରାନ ସଂଘର୍ଷ ଯୋଗୁଁ ବିଶ୍ୱସ୍ତରୀୟ ଶକ୍ତି ଯୋଗାଣ ବାଧାପ୍ରାପ୍ତ ହେବାରୁ ମାର୍ଚ୍ଚ ୨୬ରେ କମ୍ପାନୀ ପେଟ୍ରୋଲ ୫ ଟଙ୍କା ଓ ଡିଜେଲ ୩ ଟଙ୍କା ମହଙ୍ଗା କରିଥିଲା। ପରବର୍ତ୍ତୀ ସମୟରେ ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ପରେ ଜୁଲାଇ ୧ ରେ ପୁଣି ସମାନ ପରିମାଣର ଦର ହ୍ରାସ କରାଯାଇଥିଲା।ତେବେ ଅନ୍ୟପଟେ, ସରକାରୀ ତୈଳ କମ୍ପାନୀ ଇଣ୍ଡିଆନ ଅଏଲ (IOCL), ଭାରତ ପେଟ୍ରୋଲିୟମ (BPCL) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ (HPCL) ସହିତ ବେସରକାରୀ କମ୍ପାନୀ ‘ଜିଓ-ବିପି’ ବର୍ତ୍ତମାନ ସୁଦ୍ଧା ନିଜ ଦରରେ କୌଣସି ପରିବର୍ତ୍ତନ କରିନାହାନ୍ତି।


