ନୂଆଦିଲ୍ଲୀ: ଲୋକସଭା ଓ ରାଜ୍ୟସଭାର ବିଭିନ୍ନ ବିଭାଗ ସମ୍ପର୍କିତ ସଂସଦୀୟ ସ୍ଥାୟୀ କମିଟିଗୁଡ଼ିକର ପୁନର୍ଗଠନ କରାଯାଇଛି। ଏହି ପ୍ରକ୍ରିୟାରେ ପ୍ରମୁଖ ସଂସଦୀୟ କମିଟିଗୁଡ଼ିକରେ ଦଳୀୟ ସନ୍ତୁଳନକୁ ଅପରିବର୍ତ୍ତିତ ରଖାଯାଇଥିବା ବେଳେ ଅଧିକାଂଶ ପୁରୁଣା ଅଧ୍ୟକ୍ଷଙ୍କୁ ସେମାନଙ୍କ ପଦବୀରେ ବଜାୟ ରଖାଯାଇଛି। ଏହି କ୍ରମରେ କଂଗ୍ରେସ ସାଂସଦ ଶଶି ଥରୁର ପୁଣିଥରେ ବୈଦେଶିକ ବ୍ୟାପାର ସମ୍ପର୍କିତ ସ୍ଥାୟୀ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି।
ସେହିପରି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀଙ୍କୁ କୃଷି ସମ୍ପର୍କିତ କମିଟିର ଅଧ୍ୟକ୍ଷ ପଦରେ ବଜାୟ ରଖାଯାଇଛି। ତେବେ ବାଣିଜ୍ୟ ଏବଂ କାର୍ମିକ, ଜନ ଅଭିଯୋଗ, ଆଇନ ଓ ନ୍ୟାୟ ସମ୍ପର୍କିତ କମିଟିଗୁଡ଼ିକରେ କେତେକ ନୂତନ ଚେହେରାଙ୍କୁ ଗୁରୁଦାୟିତ୍ୱ ଦିଆଯାଇ ସ୍ପଷ୍ଟ ପରିବର୍ତ୍ତନ କରାଯାଇଛି।
ସୂଚନାଯୋଗ୍ୟ ଯେ, ଏହି ସଂସଦୀୟ ସ୍ଥାୟୀ କମିଟିଗୁଡ଼ିକ ବର୍ଷସାରା ବିଭିନ୍ନ ମନ୍ତ୍ରଣାଳୟର ବଜେଟ୍, ବିଲ୍ ଏବଂ ସରକାରୀ ନୀତିଗୁଡ଼ିକର ସମୀକ୍ଷା କରିଥାନ୍ତି। ଆବଶ୍ୟକ ସ୍ଥଳେ ଏହି କମିଟିଗୁଡ଼ିକ ସମ୍ପୃକ୍ତ ଅଧିକାରୀ ତଥା ବିଶେଷଜ୍ଞମାନଙ୍କୁ ସମନ୍ ଜାରି କରି ଯାଞ୍ଚ ପ୍ରକ୍ରିୟା ପରିଚାଳନା କରିବାର କ୍ଷମତା ରଖନ୍ତି।


