ରେଢ଼ାଖୋଲ: ମାନବିକତାର ଏକ ଉଦାହରଣ ସୃଷ୍ଟି କରିଛନ୍ତି ରେଢ଼ାଖୋଲ ବ୍ଲକ ବଡ଼ମାଳ ଅଞ୍ଚଳର ଯୁବ ସମାଜସେବୀ ଷଡ଼ାନନ ପ୍ରଧାନ। ରାସ୍ତାକଡ଼ ଓ ବସ୍ଷ୍ଟାଣ୍ଡରେ ଦୟନୀୟ ଅବସ୍ଥାରେ ରହୁଥିବା ଦୁଇଜଣ ମାନସିକ ଅସୁସ୍ଥ ବ୍ୟକ୍ତିଙ୍କୁ ଉଦ୍ଧାର କରି ସୁନ୍ଦରଗଡ଼ସ୍ଥିତ ‘ସଦ୍ଗୁରୁ କୃପା ଅପନା ଘର’ରେ ଥଇଥାନ କରିଛନ୍ତି।
ସୂଚନା ଅନୁଯାୟୀ, ଷଡ଼ାନନ ପ୍ରଧାନ ସମାଜସେବୀ ସଂଗଠନ ‘ପରିଚୟ’ର ସଭାପତି ବିପିନ ବିହାରୀ ପଣ୍ଡାଙ୍କ ସହ ଯୋଗାଯୋଗ କରି ସୁବର୍ଣ୍ଣପୁର ଜିଲ୍ଲା ସଦର ଅଞ୍ଚଳରୁ ଜଣେ ମାନସିକ ଅସୁସ୍ଥ ଯୁବକଙ୍କୁ ଉଦ୍ଧାର କରିଥିଲେ। ସମ୍ପୃକ୍ତ ଯୁବକ ଦୀର୍ଘଦିନ ଧରି ଏଣେତେଣେ ବୁଲାବୁଲି କରୁଥିବା ସହ ଅସ୍ୱାଭାବିକ ଆଚରଣ କରୁଥିବା ଜଣାପଡ଼ିଥିଲା।
ସେହିପରି, ଗୋଡ଼ଭଗା ନିକଟସ୍ଥ ସରଣ୍ଡା ବସ୍ଷ୍ଟାଣ୍ଡରେ ଦୀର୍ଘଦିନ ଧରି ଜଣେ ପ୍ରାୟ ୫୫ ବର୍ଷୀୟ ଅପରିଚିତ ବ୍ୟକ୍ତି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହୁଥିଲେ। ବସ୍ଷ୍ଟାଣ୍ଡକୁ ନିଜର ଆଶ୍ରୟସ୍ଥଳ କରି ରହୁଥିବା ଏହି ବ୍ୟକ୍ତି ଅତ୍ୟନ୍ତ ଅସ୍ୱଚ୍ଛ ପରିବେଶରେ ଦିନ କାଟୁଥିଲେ। ତାଙ୍କ ଅବସ୍ଥା ସମ୍ପର୍କରେ ଜାଣିବା ପରେ ଷଡ଼ାନନ ପ୍ରଧାନ ତାଙ୍କୁ ମଧ୍ୟ ଉଦ୍ଧାର କରିଥିଲେ।
ଏହି ଉଦ୍ଧାର କାର୍ଯ୍ୟରେ ଗୋଶାଳାର ସମାଜସେବୀ ଆଦି ନନ୍ଦ, ବିଶାଳ ମେହେର ଓ ସୁରେନ୍ଦ୍ର ମହାପାତ୍ର ସହଯୋଗ କରିଥିଲେ। ପରେ ଉଭୟଙ୍କୁ ସୁନ୍ଦରଗଡ଼ସ୍ଥିତ ‘ସଦ୍ଗୁରୁ କୃପା ଅପନା ଘର’ରେ ଥଇଥାନ କରାଯାଇଛି।
ସେଠାରେ ଉଭୟଙ୍କୁ ଉତ୍ତମ ଚିକିତ୍ସା, ପୁଷ୍ଟିକର ଖାଦ୍ୟ ଓ ସୁସ୍ଥ ପରିବେଶ ଯୋଗାଇ ଦିଆଯିବ। ଆବଶ୍ୟକ ଯତ୍ନ ଓ ଚିକିତ୍ସା ମାଧ୍ୟମରେ ସେମାନେ ସୁସ୍ଥ ହୋଇ ସାଧାରଣ ଜୀବନକୁ ଫେରିପାରିବେ ବୋଲି ଷଡ଼ାନନ ପ୍ରଧାନ କହିଛନ୍ତି। ଦୁଇ ଅସହାୟ ବ୍ୟକ୍ତିଙ୍କୁ ଉଦ୍ଧାର କରି ଥଇଥାନ କରିବା ଭଳି ମାନବିକ ପଦକ୍ଷେପ ପାଇଁ ଷଡ଼ାନନ ପ୍ରଧାନଙ୍କ ଏହି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।


