ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏ ଦିନରେ ଘଟିଛି ଏକାଧିକ ବାଇକ୍ ଦୁର୍ଘଟଣା। ବୈଶିଙ୍ଗା ଥାନା ଅଧୀନ ଜାତୀୟ ରାଜପଥ ଓ ବୈଶିଙ୍ଗା-ମାଣତ୍ରୀ ରାଜ୍ୟ ରାଜପଥରେ ଘଟିଥିବା ଦୁଇଟି ପୃଥକ ଦୁର୍ଘଟଣାରେ ପୁଲିସ କର୍ମଚାରୀଙ୍କ ସମେତ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଏହାର କିଛି ସମୟ ପରେ ବେତନଟୀ ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥରେ ବାଇକ୍ ଧକ୍କାରେ ଜଣେ ୫୫ ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ ଘଟିଛି।
ପ୍ରଥମ ଦୁର୍ଘଟଣା ବୈଶିଙ୍ଗା ଅଞ୍ଚଳର ୧୮ ନମ୍ବର ଜାତୀୟ ରାଜପଥର ହୋଣ୍ଡା ସୋରୁମ୍ ସମ୍ମୁଖରେ ଘଟିଥିଲା। ବିହାରର ଖଗରିଆ ଅଞ୍ଚଳର ପ୍ରଭାକର ସିଂଙ୍କ ପୁଅ ସୋହନ କୁମାର ସିଂ ରାସ୍ତା ପାର ହେଉଥିବା ବେଳେ ବାଲେଶ୍ୱରରୁ ବାରିପଦା ଅଭିମୁଖେ ଯାଉଥିବା ଏକ ବୁଲେଟ୍ ତାଙ୍କୁ ଧକ୍କା ଦେଇଥିଲା।
ଦୁର୍ଘଟଣାରେ ବୁଲେଟ୍ ଚାଳକ ଭଦ୍ରକ ଅଞ୍ଚଳର ପୁଲିସ କର୍ମଚାରୀ ଅଜିତ କୁମାର ବାରିକ ମଧ୍ୟ ଆହତ ହୋଇଛନ୍ତି। ସୋହନଙ୍କ ଦୁଇ ଗୋଡ଼ରେ ଗୁରୁତର ଆଘାତ ଲାଗିଥିବା ବେଳେ ଅଜିତଙ୍କ ଗୋଡ଼ରେ ମଧ୍ୟ ଆଘାତ ଲାଗିଛି। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ବୈଶିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ସେହିପରି ବୈଶିଙ୍ଗା-ମାଣତ୍ରୀ ରାସ୍ତାର ମୋହନପୁର ଛକ ନିକଟରେ ଘଟିଛି ଆଉ ଏକ ବାଇକ୍ ଦୁର୍ଘଟଣା। ଏଥିରେ ଚନ୍ଦ୍ରକାନ୍ତ ପ୍ରଧାନ ଓ ବେଣୁଧର ବେହେରା ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ପ୍ରଥମେ ବୈଶିଙ୍ଗା ଡାକ୍ତରଖାନା ନିଆଯାଇଥିଲା। ପରେ ଅବସ୍ଥା ଗୁରୁତର ଥିବାରୁ ଉନ୍ନତ ଚିକିତ୍ସା ପାଇଁ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି।
ଅନ୍ୟପକ୍ଷରେ, ବେତନଟୀ ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥର ତାରାକୋଟି ଛକରେ ଘଟିଛି ଆଉ ଏକ ମର୍ମନ୍ତୁଦ ବାଇକ୍ ଦୁର୍ଘଟଣା। ଦ୍ରୁତଗତିରେ ଆସୁଥିବା ଏକ ବାଇକ୍ ଧକ୍କାରେ ସ୍ଥାନୀୟ ଅଞ୍ଚଳର ମଙ୍ଗଳ ସିଂଙ୍କ ସ୍ତ୍ରୀ ସୁନି ସିଂଙ୍କ ମୃତ୍ୟୁ ଘଟିଛି। ତାଙ୍କ ବୟସ ୫୫ ବର୍ଷ ବୋଲି ଜଣାପଡ଼ିଛି।
ଏହି ଦୁର୍ଘଟଣାରେ ବାଇକ୍ରେ ଥିବା ବାଲେଶ୍ୱର ଜିଲ୍ଲାର ଦୁଇ ଯୁବକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ବେତନଟୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ୍କୁ ଜବତ କରିଛି। ଏଥିସହ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏକାଧିକ ଦୁର୍ଘଟଣା ପରେ ମୟୂରଭଞ୍ଜର ବିଭିନ୍ନ ରାସ୍ତାରେ ବାଇକ୍ ଚାଳନା ସମୟରେ ସତର୍କତା ଏବଂ ଟ୍ରାଫିକ୍ ନିୟମ ପାଳନ ନେଇ ପୁଣିଥରେ ପ୍ରଶ୍ନ ଉଠିଛି।


