ଭୁବନେଶ୍ବର: ଆଗାମୀ ଦଶହରା ଓ ଦୀପାବଳି ଆଦି ପାର୍ବଣ ଋତୁ ପୂର୍ବରୁ ବେଆଇନ ବାଣ କାରବାର ବିରୋଧରେ କଟକ ଜିଲ୍ଲା ଟାଙ୍ଗୀ ଥାନା ପୁଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ବିଶେଷ ସୂତ୍ରରୁ ଖବର ପାଇ ଟାଙ୍ଗୀ ଥାନା ଏସ.ଆଇ. ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ହଠାତ୍ ଚଢ଼ାଉ କରି ମାଗୁରା ଧାନମଣ୍ଡଳ ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ମଲିକଙ୍କୁ ବେଆଇନ ଓ ଅସୁରକ୍ଷିତ ଭାବେ ବାଣ ଭିଡୁଥିବା ବେଳେ ଘଟଣାସ୍ଥଳରୁ କାବୁ କରିଛି। ବିନା ଅନୁମତିରେ ଅଧିକ ଲାଭ ଆଶାରେ ପ୍ରସ୍ତୁତ କରାଯାଉଥିବା ଏହି ବେଆଇନ ବାଣ ତିଆରି ଆଡ୍ଡାରୁ ପ୍ରଚୁର ପରିମାଣର ନିର୍ମିତ ଓ ଅର୍ଦ୍ଧନିର୍ମିତ ବାଣ ସହ ବାରୁଦ, ରସାୟନ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ଗିରଫ ପୂର୍ଣ୍ଣ ଚନ୍ଦ୍ରଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଅଞ୍ଚଳରେ ବେଆଇନ ବାଣ କାରବାର ରୋକିବା ପାଇଁ ଆଗକୁ ମଧ୍ୟ ଏପରି ଚଢ଼ାଉ ଜାରି ରହିବ ବୋଲି ପୁଲିସ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।


