ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହ ଏବଂ ସହ-ଅଭିଯୁକ୍ତ ବିନୋଦ ତୋମରଙ୍କୁ ଉତ୍ପୀଡ଼ନ ମାମଲାରୁ ଦୋଷମୁକ୍ତ କରାଯିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ୍ କରି ମହିଳା ପହେଲମାନଙ୍କ ଦ୍ୱାରା ଦାଏର ଅପିଲ୍ ଉପରେ ହେବାକୁଥିବା ଶୁଣାଣି ଟଳିଯାଇଛି। ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଏବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଅକ୍ଟୋବର ୨୮ ତାରିଖ ଧାର୍ଯ୍ୟ କରିଛନ୍ତି। ନିମ୍ନ ଅଦାଲତ ଗତ ଅଗଷ୍ଟ ୩ ତାରିଖରେ ବ୍ରିଜଭୂଷଣ ଏବଂ ବିନୋଦ ତୋମରଙ୍କୁ ଏହି ମାମଲାରୁ ଖଲାସ କରିଥିଲେ। ଏହି ନିଷ୍ପତ୍ତିକୁ ବିରୋଧ କରି ଚାରିଜଣ ମହିଳା ପହେଲମାନ ସେସନ୍ସ କୋର୍ଟରେ ଅପରାଧିକ ଅପିଲ୍ ଦାୟର କରିଛନ୍ତି। ଏହି ଶୁଣାଣି ସମୟରେ ବ୍ରିଜଭୂଷଣ ଶରଣ ସିଂହ ବ୍ୟକ୍ତିଗତ ଭାବେ ଅଦାଲତରେ ହାଜର ହୋଇଥିଲେ। ତେବେ ସେସନ୍ସ କୋର୍ଟ ତାଙ୍କୁ ଜବାବ ଦାଖଲ କରିବା ପାଇଁ ଅତିରିକ୍ତ ସମୟ ପ୍ରଦାନ କରିଛନ୍ତି। ଏହାପୂର୍ବରୁ ଅଦାଲତ ଉଭୟ ଅଭିଯୁକ୍ତଙ୍କୁ ନୋଟିସ୍ ଜାରି କରି ଜବାବ ମାଗିଥିଲେ।


