ନୂଆଦିଲ୍ଲୀ: ଅଲିମ୍ପିକ୍ ପଦକ ବିଜେତା ବକ୍ସର୍ ମ୍ୟାରୀ କମ୍ଙ୍କ ବିରୋଧରେ ତାଙ୍କ ପୂର୍ବତନ ସ୍ୱାମୀ କରୋଙ୍ଗ ଓଙ୍ଖୋଲୋର୍ ଦିଲ୍ଲୀର ସାକେତ୍ କୋର୍ଟରେ ଏକ ମାନହାନୀ ମାମଲା ରୁଜୁ କରିଛନ୍ତି। ଏହା ବର୍ତ୍ତମାନ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ଶିଭମ୍ ଗୁପ୍ତାଙ୍କ କୋର୍ଟରେ ବିଚାରାଧୀନ ଥିବାବେଳେ ଆସନ୍ତା ନଭେମ୍ବର ୧୯ ତାରିଖରେ ଏହାର ପରବର୍ତ୍ତୀ ଶୁଣାଣି ହେବ। ଅଭିଯୋଗ ଅନୁସାରେ, ୨୦୨୬ ଜାନୁଆରୀ ୧୧ ତାରିଖରେ ପ୍ରସାରିତ ଏକ ଇଣ୍ଟରଭ୍ୟୁରେ ମ୍ୟାରୀ କମ୍ ତାଙ୍କୁ ଜଣେ ବେଇମାନ, ବିଶ୍ୱାସଘାତକ ଏବଂ ମଦୁଆ ଭାବେ ଚିତ୍ରଣ କରିଥିବା ଓଙ୍ଖୋଲୋର୍ ଦର୍ଶାଇଛନ୍ତି। ସାକ୍ଷାତକାରରେ ତାଙ୍କ ବ୍ୟାଙ୍କ ଖାତାରୁ ବେନିୟମ ଭାବେ ଅର୍ଥ ବ୍ୟବହାର କରିବା ଏବଂ ପିଲାମାନଙ୍କ ଦାୟିତ୍ୱ ନେଉନଥିବା ନେଇ ମଧ୍ୟ ମିଥ୍ୟା ଅଭିଯୋଗ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ୨୦୦୫ ମାର୍ଚ୍ଚ ୧୨ ତାରିଖରେ ଉଭୟଙ୍କର ବିବାହ ହୋଇଥିଲା ଏବଂ ସେମାନେ ଫରିଦାବାଦରେ ଏକାଠି ରହୁଥିଲେ। ପରେ ୨୦୨୩ ଡିସେମ୍ବର ୨୦ ତାରିଖରେ ପାରମ୍ପରିକ ରୀତି-ନୀତି ଅନୁସାରେ ଉଭୟଙ୍କର ବିବାହ ବିଚ୍ଛେଦ ଘଟିଥିଲା ବୋଲି ଓଙ୍ଖୋଲୋର୍ ସ୍ପଷ୍ଟ କରିଛନ୍ତି।


