ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସୁନ୍ଦରଗଡ଼ ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ (ୱାଟରସେଡ୍ ପିଡି) ପ୍ରସନ୍ନ କୁମାର ପାତ୍ରଙ୍କୁ ଶନିବାର ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଏନେଇ ଶନିବାର ରାଉରକେଲା ଭିଜିଲାନ୍ସ ଡିଭିଜନର ଏସ୍ପି ହରେକୃଷ୍ଣ ମାଝୀ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ, ପ୍ରସନ୍ନ ପାତ୍ରଙ୍କ ଜ୍ଞାତ ଆୟ ଉତ୍ସ ତୁଳନାରେ ୨୦୪ ପ୍ରତିଶତ ଅଧିକ ସମ୍ପତ୍ତି ଥିବା ଭିଜିଲାନ୍ସ ହିସାବ କରିଛି। ଏହି ସମ୍ପତ୍ତି ସମ୍ପର୍କରେ ସେ ସନ୍ତୋଷଜନକ ଉତ୍ତର ଦେଇପାରି ନଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଏହି ମାମଲାରେ ରାଉରକେଲା ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୧୩, ତା ୧୦.୧୦.୨୦୨୬ରେ ପ୍ରସନ୍ନ ପାତ୍ର ଓ ତାଙ୍କ ପତ୍ନୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ପ୍ରକାଶ ଯେ ବାବୁଙ୍କ ଫ୍ଲାଟ୍ ଓ ଜାଗା କିଣିବାକୁ ଥିଲା ପ୍ରବଳ ସଉକ୍। ଦିନେ ୭ ହଜାର ଟଙ୍କାରେ କରିଥିଲେ ସରକାରୀ ଚାକିରି। ଆୟବର୍ହିଭୂତ ସମ୍ପତ୍ତିରେ ନିଜ ଟ୍ରେଜେରୀ ଭରି ଚାଲିଥିଲେ ସିଏ, ଆଉ ସାଜିଥିଲେ କୁବେର। ଗୋଟିଏ କି ଦୁଇଟି ନୁହେଁ, ରାଜଧାନୀ ଭୁବନେଶ୍ୱରରେ ତାଙ୍କର ଥିଲା ଏକାଧିକ କୋଠା, ଫ୍ଲାଟ୍ ଓ ୭ଟି ମୂଲ୍ୟବାନ ପ୍ଲଟ୍। ଆଉ ବ୍ୟାଙ୍କରେ କୋଟି କୋଟି ଟଙ୍କା ରଖି ଅଏସ କରୁଥିଲେ ଶ୍ରୀ ପାତ୍ର।ହେଲେ ଅକ୍ଟୋବର ୯ ତାରିଖରେ ବାବୁଙ୍କ କଳା ସାମ୍ରାଜ୍ୟକୁ ଲାଗିଗଲା କାହାର କଳା ନଜର। ଭୁବନେଶ୍ୱର, ସୁନ୍ଦରଗଡ଼ ଓ କଟକ ସମେତ ୮ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲା ଭିଜିଲାନ୍ସ। ତାଙ୍କ ସରକାରୀ ବାସଭବନ, କାର୍ଯ୍ୟାଳୟ, ଭୁବନେଶ୍ୱରରେ ଥିବା ଘର ଓ ସମ୍ପର୍କୀୟଙ୍କ ଘରେ ଚାଲିଥିଲା ଘନ ଘନ ଯାଞ୍ଚ। ଆଉ ଚଢ଼ାଉ ବେଳେ ଯେଉଁ ସମ୍ପତ୍ତିର ତଥ୍ୟ ସାମ୍ନାକୁ ଆସିଲା ତାହା ସଭିଙ୍କୁ ଚମକାଇ ଦେଇଥିଲା। ଭୁବନେଶ୍ୱରରେ ପ୍ରାୟ ୨୪୦୦ ବର୍ଗଫୁଟ୍ ଲେଖାଏଁ ତିନୋଟି ୨ମହଲା କୋଠା, ବାଲିଅନ୍ତାରେ ୩୦୦୦ ବର୍ଗଫୁଟ୍ର ୨ମହଲା ଘର ଏବଂ ନୟାପଲ୍ଲୀରେ ପ୍ରାୟ ୧୧୫୦ ବର୍ଗଫୁଟ୍ର ଗୋଟିଏ ୩-ବିଏଚ୍କେ ଫ୍ଲାଟ୍ ଠାବ ହୋଇଛି। ଏହା ସହ ଭୁବନେଶ୍ୱର ଉପକଣ୍ଠରେ କୋଟି କୋଟି ଟଙ୍କାର ୭ଟି ମୂଲ୍ୟବାନ ପ୍ଲଟ୍। ତେବେ ଏତିକିରେ ସରିନି ହିସାବ, ପ୍ରାୟ ୧ କୋଟି ଟଙ୍କାର ବ୍ୟାଙ୍କ ଜମା, ୨୧୧ ଗ୍ରାମ୍ ସୁନା, ୧ ଲକ୍ଷ ୨୯ ହଜାର ଟଙ୍କା ନଗଦ ଏବଂ ୩ଟି ଦୁଇଚକିଆ ଯାନ ମଧ୍ୟ ଜବତ କରିଛି ଭିଜିଲାନ୍ସ।


