ଭୁବନେଶ୍ବର: ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣି ବୁଡ଼ି ୨ ଭାଇଙ୍କ ମୃତ୍ୟୁ ଘଟିଛି। ଏଥିସହ ଅନ୍ୟ ଜଣେ ନାବାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅନ୍ତର୍ଗତ ଅରଡ଼େଇ ନଦୀରେ ଘଟିଯାଇଛି ଏହି ଦୁଃଖଦ ଘଟଣା। ମୃତକ ଦୁଇ ଭାଇ ହେଲେ ମହମ୍ମଦ ସାଦ ଆନ୍ସାରୀ (୧୨) ଓ ଅହମ୍ମଦ ଆନସାରୀ (୧୪)। ଗୁରୁତର ଭାବେ ଉଦ୍ଧାର କରାଯାଇଥିବା ନାବାଳକ ହେଲେ ମୁସ୍ତାଫା ଆନସାରୀ (୧୪)। ଏମାନେ ସମେସ୍ତ ଝୁମ୍ପୁରା ଥାନା ଅନ୍ତର୍ଗତ ଅର୍ଶଳା ବସ୍ତିର ବୋଲି ଜଣାପଡ଼ିଛି।
ଶନିବାର ପୂର୍ବାହ୍ଣରେ ସମସ୍ତେ ସାଙ୍ଗ ହୋଇ ଗାଧୋଇବା ପାଇଁ ତେଲିଅର୍ଶଳା (ଜୁଆରିଗୋଡା )ନିକଟ ଅରଡ଼େଇ ନଦୀକୁ ଯାଇଥିଲେ। ତେବେ ଗାଧୋଉଥିବା ସମୟରେ ଅସାବଧାନତାବଶତଃ ପ୍ରଥମେ ବଡ଼ ଭାଇ ଅହମ୍ମଦ ବୁଡ଼ି ଯାଇଥିଲେ। ପରେ ପରେ ସାନ ଭାଇ ମହମ୍ମଦ ସାଦ୍ ମଧ୍ୟ ପାଣିରେ ବୁଡ଼ି ଯାଇଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ମୁସ୍ତାଫା ବିଫଳ ହୋଇଥିଲେ। ମୁସ୍ତଫା ମଧ୍ୟ ପାଣିରେ ଧୀରେ ଧୀରେ ବୁଡି ଯାଉଥିବା ବେଳେ ଚିତ୍କାର କରିଥିଲେ। ଫଳରେ ସ୍ଥାନୀୟ ଲୋକେ ତୁରନ୍ତ ନଦୀ ଭିତରକୁ ଡେଇଁ ମୁସ୍ତଫା ଏବଂ ମହମ୍ମଦ ସାଦ୍ଙ୍କୁ ଉଦ୍ଧାର କରି ପରିବାର ବର୍ଗଙ୍କୁ ଖବର ଦେଇଥିଲେ। ପରିବାର ବର୍ଗ ଘଟଣାସ୍ଥଳରେ ପହଞ୍ଚି ମୁସ୍ତଫା ଏବଂ ମହମ୍ମଦ ସାଦଙ୍କୁ ଝୁମ୍ପୁରା ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଯାଞ୍ଚ ପରେ ଡାକ୍ତର ମହମ୍ମଦ ସାଦଙ୍କୁ ମୃତ ଘୋଷଣା କରିଥିଲେ। ଏବଂ ପ୍ରାଥମିକ ଚିକିତ୍ସା ପରେ ମୁସ୍ତଫାଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନସ୍ତର କରାଯାଇଥିଲା। ଅନ୍ୟପଟେ ବଡ଼ଭାଇ ଅହମ୍ମଦ ଅନସାରୀ ଭାସିଯାଇ ନିଖୋଜ ରହିଥିଲେ। ଖବର ପାଇ ଝୁମ୍ପୁରା ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଦୀର୍ଘ ସମୟ ପରେ ତାଙ୍କ ମୃତଦେହ ଉଦ୍ଧାର କରିଥିଲେ। ଏହି ଘଟଣା ପରେ ସମଗ୍ର ଅର୍ଶଳା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।


